Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଶିବସେନା କହୁଛି ଆମ ପାଖରେ ୧୭୦ ବିଧାୟକ, କିଏ ହେବ ମୁଖ୍ୟମନ୍ତ୍ରୀ?

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ କିଏ? ସେ ନେଇ ଚାଲିଛି ଅଙ୍କକଷା। ଏହାରି ମଧ୍ୟରେ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜ ମତ ଦେଇଥିଲେ ସୁଦ୍ଧା କୌଣସି ଦଳ ଏ ଯାଏଁ ସରକାର ଗଠନ କରି ପାରିନାହାନ୍ତି। ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡୁ ନଥିବେ ବେଳେ ଶିବସେନା ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିପାରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଏହି ଘଡ଼ି ସନ୍ଧି ମୁହର୍ତ୍ତରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବୟାନ ମହାରାଷ୍ଟ୍ର ରାଜନୀତିକୁ ଉଷ୍ମ କରିଦେଇଛି।

ଶିବସେନା ମହାରାଷ୍ଟ୍ରରେ ସରକାର ଗଢ଼ିବ । ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶବିସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି।

ଏଥିସହିତ ସଞ୍ଜୟ କହିଛନ୍ତି ଯେ, ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ସଞ୍ଜୟ କହିଛନ୍ତି। ସେ କହିଛନ୍ତି, ଶିବସେନା ପାଖରେ ୫୬ ବିଧାୟକ ରହିଛନ୍ତି। କଂଗ୍ରେସର ୪୪ ଓ ଏନସିପିର ୫୪ ବିଧାୟକଙ୍କ ସହ ଅନ୍ୟାନ୍ୟ ବିଧାୟକଙ୍କୁ ମିଶାଇ ଏହି ସଂଖ୍ୟା ୧୭୫ ଛୁଇଁବ।

ଅନ୍ୟପଟେ ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାଓ୍ୱାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ମୁମ୍ୱାଇରେ ଏନସିପିର ଦଳୀୟ ବୈଠକ ବସିଛି। ଏହି ଅବସରରେ ଶିବସେନାକୁ ସମର୍ଥନ ବାବଦରେ ଆଲୋଚନା ହୋଇଛି। ସେହିପରି ଆଜି ସକାଳେ ଏନସିପି ମୁଖପାତ୍ର ନବାବ ମଲିକ କହିଥିଲେ, ଯଦି ଶିବସେନା ବିଜେପିକୁ ବାଦ ଦେଇ ଲୋକଙ୍କ ଭଲ ପାଇଁ ସରକାର ଗଢ଼ିବାକୁ ଚିନ୍ତା କରୁଛି, ତାହେଲେ ଏନସିପି କିଛି ସକରାତ୍ମକ ଆଲୋଚନା କରିପାରେ। କିନ୍ତୁ ଗତକାଲି ଶିବସେନାକୁ ସମର୍ଥନ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ୱାର କହିଥିଲେ ମହାରାଷ୍ଟ୍ରବାସୀ ତାଙ୍କୁ ବିରୋଧୀ ଆସନରେ ବସିବା ପାଇଁ ଭୋଟ ଦେଇଛନ୍ତି। ତେଣୁ ତାଙ୍କ ଦଳ ସରକାରରେ ସାମିଲ ହେବନି।

Comments are closed.