Odisha Link
Bridging the Missing Links in Odisha

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ସାଢ଼େ ୮କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ। ସ୍ନାନ ପୂର୍ଣ୍ଣିମା ଦିନ କଥା ଦେଲେ ଅଂଳା ନବମୀ ଦିନ କଥା ରଖିଲେ ନବୀନ। କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ କେନ୍ଦ୍ରାପଡ଼ା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଓ ସେବାୟତ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ଗତ ସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ସେବାୟତ ଓ ଜନସାଧାରଣ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ବଳଦେବଜୀଉଙ୍କ ପୀଠ ତୁଳସୀ କ୍ଷେତ୍ରର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ତଦ୍‌ନୁଯାୟୀ, କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଓ ଏହାର ପରିସରକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯିବ ସହିତ ବଡ଼ଦାଣ୍ଡର ଉନ୍ନତିକରଣ କରାଯାଇ ଏହାର ୨ ପାର୍ଶ୍ୱକୁ ମଧ୍ୟ ଆଲୋକମାଳରେ ସଜ୍ଜିତ କରାଯିବ । ସେହିପରି କେନ୍ଦ୍ରାପଡ଼ାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ ନିର୍ମାଣ କରାଯିବା ସହିତ ବଳଦେବଜୀଉ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର କରାଯିବ । ମନ୍ଦିର କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ । ଏତଦ୍ ବ୍ୟତୀତ ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମୁନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ।

ଏହିସବୁ ଉନ୍ନତିକରଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରଖିବା ସହିତ ଆସନ୍ତ ରଥଯାତ୍ରା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଏହିସବୁ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାବାସୀଙ୍କ ସହଯୋଗ ମଧ୍ୟ କାମନା କରିଥିଲେ । ସେବାୟତମାନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଓ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.