Odisha Link
Bridging the Missing Links in Odisha

ସୁରଜଙ୍କ ସ୍ମୃତିରେ: ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ‘ସୁରଜ ପୁରସ୍କାର’, ମୁଖ୍ୟମନ୍ତ୍ରୀ କହିଲେ..

ଭୁବନେଶ୍ବର: ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୁରଜଙ୍କ ନାମରେ ଏଣିକି ଦିଆଯିବ ପୁରସ୍କାର। ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୁରଜ ପୁରସ୍କାର’। ସୁରଜଙ୍କ ସ୍ମୃତିରେ ଏଭଳି ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୃତ ସୁରଜଙ୍କ ବାପାମାଆଙ୍କୁ ଭେଟିବା ପରେ ତାଙ୍କ ପୁଅ ପାଇଁ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଗତ କିଛି ଦିନ ତଳେ ସୁରଟରେ ଅଙ୍ଗଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଲସିଂ ଗାଁର ସୁରଜ ସେଠୀଙ୍କ ବାପାମାଆଙ୍କୁ ଆଜି ଲୋକସେବା ଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ସୁରଜଙ୍କ ଏଭଳି ମହତ କାମ ପାଇଁ ବାପାମାଆଙ୍କୁ ଧନ୍ୟବାଦ ଦେବା ସହ ଗରିବ ପରିବାରକୁ ସହାୟତା କରିଛନ୍ତି । ସରକାରଙ୍କ ତରଫରୁ ସୁରଜଙ୍କ ବାପା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳି ସେଠୀଙ୍କୁ ଜମି ଓ ବିଜୁ ପକ୍କା ଘର ଯୋଗାଇ ଦିଆଯିବ। ତାସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ୫ ଲକ୍ଷ ଟଙ୍କା ଦିଆଯିବ।

ଗତ ଅକ୍ଟୋବର ୨୯ରେ ସୁରଟ ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ସୁରଜ। ଆଉ ୪ ଦିନ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ନଭେମ୍ବର ୨ ତାରିଖରେ ଆଖି ବୁଜିଥିଲେ ସୁରଜ । ହେଲେ ମୃତ୍ୟୁ ପୂର୍ବରୁ ସୁରଜ ନିଜ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଦାନ କରିଥିଲେ । ହୃତପିଣ୍ଡ, ଲିଭର, କିଡନୀ ଓ ଚକ୍ଷୁ ଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଥିଲେ । ତେବେ ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୋଇଥିବା ସୁରଜଙ୍କ ଏଭଳି ମହତକାମ ପାଇଁ ସାରା ଓଡିଶା ଗର୍ବ କରୁଥିବା ବେଳେ ଆଜି ତାଙ୍କ ଉଦ୍ଦେଶ୍ୟରେ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Comments are closed.