Odisha Link
Bridging the Missing Links in Odisha

ମାନସ ମଙ୍ଗରାଜଙ୍କୁ ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ପ୍ରେସ୍‌ ଦିବସ ଅବସରରେ ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଳିଥିବା ଖବର ମୁତାବିକ ଏଣିକି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ମାନସ ମଙ୍ଗରାଜଙ୍କ ସହ ପରାମର୍ଶ କରିବେ।

ମୁଖ୍ୟମନ୍ତ୍ରୀଙ୍କଠାରୁ ନୋଟ୍ ସିଟ୍ ରେ ନିର୍ଦ୍ଦେଶ ପାଇଲା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି। କେବଳ ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ ନୁହେଁ, ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ଗଣମାଧ୍ୟମକୁ ରାଜ୍ୟ ସରକାର ଦେଉଥିବା ବିଜ୍ଞାପନ ବଣ୍ଟନରେ ଶ୍ରୀ ମଙ୍ଗରାଜଙ୍କର ପରାମର୍ଶ ରହିବ। ଅର୍ଥାତ ତାଙ୍କ ପରାମର୍ଶରେ ବିଜ୍ଞାପନ ଆବଣ୍ଟନ ନିଷ୍ପତ୍ତି ନିଆଯିବ। ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଗୁଡ଼ିକରେ ସେ ସମ୍ମାନନୀୟ ଅତିଥି(distinguished guest) ଭାବେ ଯୋଗଦେବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହାରି ଫଳରେ ଶ୍ରୀ ମଙ୍ଗରାଜ ନିଜର ମୂଳ ଦାୟିତ୍ୱ ସହ ଏହି ଦାୟିତ୍ୱକୁ ସ୍ୱତନ୍ତ୍ର ଭାବେ ସମ୍ଭାଳିବେ।

ସୂଚନାଥାଉକି, ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ଏହି ପଦବୀ ସହ ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ମାତ୍ର ଦୁଇମାସ ହେଲା ଦାୟିତ୍ୱ ନେଇଥିଲେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବେଶ ଚଳଚଞ୍ଚଳ କରିବାରେ ସକ୍ଷମ ହୋଇଛନ୍ତି ।

Comments are closed.