Odisha Link
Bridging the Missing Links in Odisha

ବିଦେଶରେ ହେବ ଲକ୍ଷ୍ମୀପୁରାଣର ପ୍ରଚାର

ଭୁବନେଶ୍ୱର : ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ, ଏହା ଏକ ସାମାଜିକ ବିପ୍ଲବ । ଲକ୍ଷ୍ମୀପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହି, ଏହା ଏକାଧିକ ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଥିବା ଏକ ବୈପ୍ଲବିକ ଗ୍ରନ୍ଥ । ଯେଉଁ ବାର୍ତ୍ତାକୁ ବର୍ତ୍ତମାନର ଯୁବପିଢି ନିକଟରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛି ଶ୍ରୀଉତ୍ସବ ଅନୁଷ୍ଠାନ । ଲକ୍ଷ୍ମୀ ପୁରାଣରେ ଥିବା ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢି ତଥା ସହରବାସୀଙ୍କ ମଧ୍ୟରେ ମାଣବସା ଗୁରୁବାରର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ୩ୟ ଥର ପାଇଁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଯାଇଛି ଶ୍ରୀଉତ୍ସବ ।

ମାର୍ଗଶିର ମାସ ମାଣବସା ଗୁରୁବାର ଅବସରରେ ଚଳିତ ଗୁରୁବାରଠାରୁ ଉତ୍ସବର ଶୁଭାରମ୍ଭ ହେବ । ଏହା ବର୍ଷତମାମ ଜାରିରହିବ ବୋଲି ଅନୁଷ୍ଠାନ ପକ୍ଷରୁ ବୁଧବାର ଶହୀଦନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଲକ୍ଷ୍ମୀ ପୂଜାକୁ ସାର୍ବଜନୀନ କରିବା ପାଇଁ ଓଡିଶାରେ ପ୍ରଥମ ଥର ପାଇଁ ଏକ ନୂତନ ଦିଗଦର୍ଶନ ଓ ବିଚାରଧାରାକୁ ନେଇ ଶ୍ରୀଉତ୍ସବ ଆୟୋଜିତ ହେବ ।

ଲକ୍ଷ୍ମୀପୁରାଣରେ ଥିବା ଯେଉଁ ସାମାଜିକ ବାର୍ତ୍ତାକୁ ସାଧାରଣ ଲୋକେ ହୃଦୟଙ୍ଗମ କରିପାରିନାହାନ୍ତି, ତାହାର ପ୍ରଚାର ପ୍ରସାର କରାଯିବ । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷସାରା ସଚେତନତା ଓ ସାମାଜିକ ବାର୍ତ୍ତା ବହନ କରୁଥିବା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଶ୍ରୀଉତ୍ସବ ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର କହିଛନ୍ତି । ସମାଜରେ ଛୁଆଁ ଅଛୁଆଁ ଭେଦଭାବ ଦୂର, ନାରୀ ସଶକ୍ତୀକରଣ ଓ ଅସ୍ପୃଶ୍ୟତା ଦୂରୀକରଣ କେବଳ ଲକ୍ଷ୍ମୀପୁରାଣ ମାଧ୍ୟମରେ ହୋଇପାରିବ ।

ତେଣୁ ଲକ୍ଷ୍ମୀପୁଜାକୁ କେବଳ ପୂଜାରେ ସୀମିତ ନ ରଖି ମହୋତ୍ସବର ରୂପ ଦିଆଯିବ । ଏଥିପାଇଁ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।

Comments are closed.