Odisha Link
Bridging the Missing Links in Odisha

ଶିବସେନାକୁ ଅଡ଼ୁଆ ପାଓ୍ବାରଙ୍କ ବୟାନ, ସଞ୍ଜୟ କହିଲେ ବୁଝିବାକୁ..

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଦିନକୁ ଦିନ ଟୁଇଷ୍ଟ ବଢ଼ିବାରେ ଲାଗିଛି। କେତବେଳେ କିଏ କଣ କହୁଛି ତାହା ସମସ୍ତଙ୍କ ଅବୁଝା। ହେଲେ ସରକାର ଗଠନକୁ ନେଇ ଲାଗି ରହିଛି ଅଙ୍କକଷା। ବିଜେପି ସହିତ ବୁଝାମଣା ନହେବାରୁ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଚାହୁଁଛି ଶିବସେନା। ଏକଥା ବି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଏଭଳିକି ତିନି ଦଳ ସରକାର ଗଠନ ନେଇ ଘନ ଘନ ବୈଠକ ଖବର ମଧ୍ୟ ପ୍ରକାଶ ପାଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟାମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇଟି ଭିନ୍ନ ବୟାନ ଶିବସେନାକୁ ଅଡୁଆରେ ପକାଇଛି। ଗତକାଲି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏନସିପି ମୁଖ୍ୟ କହିଥିଲେ ଯେ ମହାରାଷ୍ଟ୍ରରେ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ। ଯେହେତୁ କଂଗ୍ରେସ ଓ ଏନସିପି ମେଣ୍ଟ କରି ନିର୍ବାଚନ ଲଢିଥିଲେ ତେଣୁ ଆଗାମୀ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମହାରାଷ୍ଟ୍ରରେ ସରକାର ଗଠନ ନେଇ କୌଣସି ଚର୍ଚ୍ଚା ହୋଇନଥିବା କହିଥିଲେ ଶରଦ ପାୱାର।

ସେହିପରି ଆଜି ସଂସଦରେ ଶରଦ ପାୱାରଙ୍କୁ ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରଶ୍ନ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି ମାନେ। ହେଲେ ସାମ୍ବାଦିକଙ୍କ ପ୍ରଶ୍ନରେ କହିଥିଲେ ଯେ, ଯିଏ ସରକାର ଗଠନ କରିବେ ତାଙ୍କୁ ଏହି ପ୍ରଶ୍ନ ପଚାରନ୍ତୁ। ଏଭଳି ବୟାନ ଦେଇଥିଲେ ଶରଦ ପାଓ୍ବାର।

ସେପଟେ ଶରଦ ପାୱାରଙ୍କ ଏହି ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆଭିମୁଖ୍ୟ ବୁଝିବାକୁ କେଇ ଜନ୍ମ ଲାଗିଯିବ ବୋଲି କହିଛନ୍ତି ସଂଜୟ ରାଉତ । ଏହାସହ ଶିବସେନା ପୁଣି ଦାବି କରିଛି ଯେ ସେ ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ କରିବ ।

Comments are closed.