Odisha Link
Bridging the Missing Links in Odisha

ବିଦ୍ୟୁତ ଶୁଳ୍କ ଆଦାୟ ଏବଂ ତଦାରଖ ନେଇ ଶକ୍ତିମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : ଶକ୍ତି, ଗୃହ, ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ଅପରାହ୍ନରେ ଅଚାନକ ପାଓ୍ୱାର୍‌ ହାଉସ୍‌ ଛକସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀ, ବିଦ୍ୟୁତଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଦ୍ୟୁତ ଶୁଳ୍କ ଆଦାୟ ଏବଂ ତଦାରଖ ନେଇ ସମୀକ୍ଷା କରିଥିଲେ । ବୈଠକରେ ବିଦୁ୍ୟତ ଚୋରି ରୋକିବା ସହ ଅଧିକ ଶୁଳ୍କ ଆଦାୟ ଏବଂ ସଂପୂର୍ଣ୍ଣ ବ୍ୟବସ୍ଥାର ସଠିକ୍‌ ତଦାରଖ ଉପରେ ଆଲୋଚନା କରିଥିଲେ ।

ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଇଂଜିନିୟରମାନେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ସହ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ବିଭାଗର ରାଜସ୍ୱ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଉପରୁ ସବୁ ଠିକ୍‌ ଲାଗୁଥିଲେ ମଧ୍ୟ ବହୁ ବୈଷୟିକ କାରଣ ପାଇଁ ବିଭାଗର ରାଜସ୍ୱ ଆଦାୟ କମୁଛି ।

ଏହି କାରଣ ଖୋଜି ବାହାର କରିବା ସହ ଆବଶ୍ୟକ ସ୍ଥଳେ କୁଶଳୀ ମାନବସଞ୍ଚଳର ଉପଯୋଗ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ସୂତ୍ର ଆଧାରରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ ।

ଅସାଧୁ କମ୍ପାନୀ ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଯେକୌଣସି ଉପାୟରେ ସହଯୋଗ କରୁଥିବା ବିଦ୍ୟୁତ କର୍ମଚାରୀଙ୍କୁ ସରକାରୀ ନିୟମ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ । କର୍ମଚାରୀ ଓ ଇଂଜିନିୟରମାନଙ୍କୁ ନିୟମିତ କର୍ମଶାଳା ଜରିଆରେ ସମୟୋଗଯୋଗୀ କରିବା ସହ ଆମ ପରିବେଶ ରକ୍ଷା ପାଇଁ ନବୀକରଣ ଯୋଗ୍ୟ ବିଦ୍ୟୁତ ଉତ୍ପାଦନ ଉପରେ ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଗୁରୁତ୍ୱ ଦେଇଥିଲେ ।

ଏଥି ସହିତ ନୂଆ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଉଚିତ ସମୟରେ ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଅନ୍ତତଃ ବିଭାଗୀୟ ସମସ୍ୟାର ଶୀଘ୍ର ସମାଧାନ ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସର୍ବୋଚ୍ଚ ଯନ୍ତ୍ରୀ, ବିଦ୍ୟୁତ ସନ୍ତୋଷ ଦାସଙ୍କ ସମେତ ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀ, ବୈଦ୍ୟୁତିକ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.