ପିଲା ଜନ୍ମକରି ବାଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବନି

ଭୁବନେଶ୍ବର: ରାଜ୍ୟର ସ୍କୁଲଗୁଡ଼ିକରେ ପାଇଖାନା ପ୍ରସଙ୍ଗରେ ଆଜି ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ। ସ୍କୁଲରେ ହୋଇଥିବା ପାଇଖାନା ବ୍ୟବସ୍ଥାକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ମହାରଥୀ। ସ୍କୁଲଗୁଡ଼ିକରେ ବହୁତ ପାଇଖାନା ହୋଇଛି। ହେଲେ ସେଗୁଡ଼ିକରେ ପାଣିର ସୁବିଧା ହୋଇଛି କି, ନିୟମିତ ସେଗୁଡ଼ିକ ସଫା ହେଉଛି କି ବୋଲି ପ୍ରଶ୍ନ ବାଣରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ଛନ୍ଦି ପକାଇଛନ୍ତି। ଏଥସହ ସେ କଟାକ୍ଷ କରି କହିଥିଲେ କି ପିଲା ଜନ୍ମକରି ବାଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବନି। ପିଲାଙ୍କ ଲାଳନପାଳନ କରିବା ଆବଶ୍ୟକ।
ଗଣଶିକ୍ଷାମନ୍ତ୍ରୀ ଆଜି ଗୃହରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରାଜ୍ୟରେ ୧୬ ହାଜର ୧୧୭ଟି ଇଂରାଜୀ ବିଦ୍ୟାଳୟରେ ପାଇଖାନା ତିଆରି ହୋଇଛି। ୨୮୮ଟି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପାଇଖାନା ତିଆରି ହୋଇଛି। କେବଳ କେନ୍ଦ୍ରାପଡ଼ାର ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ବ୍ୟବସ୍ଥା ହୋଇପାରି ନାହିଁ। ସେହିପରି ୧୧ଟି ସରକାରୀ ଅନୁଦାନପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ସୁବିଧା ନାହିଁ। ଜାଗା ଅସୁବିଧା ଯୋଗୁଁ ପାଇଖାନା ହୋଇପାରୁନି। ତେବେ ବିଭାଗ ଏ ଉପରେ ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ମନ୍ତ୍ରୀଙ୍କ ଏହି ତଥ୍ୟ ପରେ ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ଗତକାଲି ପାନୀୟ ଜଳ ଯୋଗାଣ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରି ଅଡ଼ୁଆରେ ପକାଇଥିବା ମହାରଥୀ ଆଜି ପୁଣି ପ୍ରଶ୍ନବାଣରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘାଇଲା କରିଛନ୍ତି। ବାରମ୍ବାର ନିଜ ଦଳର ବିଧାୟକଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଉଛନ୍ତି ମହାରଥୀ। ଯାହା ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ବିରୋଧୀଙ୍କୁ ଏକ ବଡ଼ ମୌକା ଆଣି ଦେଇଛି।