Odisha Link
Bridging the Missing Links in Odisha

୧୦୦ କୋଟିର ଜମି ଖାଇଛନ୍ତି ମହାରଥୀ : ବିଜେପି

ଭୁବନେଶ୍ବର:ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି। ଶ୍ରୀ ମହାରଥୀଙ୍କ ବିରୋଧରେ ସରକାରୀ ଜମି ହଡ଼ପ ଅଭିଯୋଗ ଆଣିଛି ବିଜେପି। ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଗୋଲକ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ, ପ୍ରଦୀପ୍‌ ମହାରଥୀ ଶହେ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ହଡପ୍‌ କରିଛନ୍ତି। ମହାରଥୀ ନିଜ ଫାର୍ମ ହାଉସ ନିକଟ ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଗୋଲକ।

କେବଳ ମହାରଥୀ ନୁହଁନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠର ସାମନ୍ତରାୟଙ୍କ ବିରୋଧରେ ମଧ୍ୟ ଜମି ହଡ଼ପ ନେଇ ବିଜେପି ଅଭିଯୋଗ ଆଣିଛି। ପିପିଲି ତହସିଲ୍‌ରେ ୫୬ ଏକରରୁ ଅଧିକ ଗୋଚର ଜମିକୁ ତତ୍କାଳୀନ ତହସିଲଦାର ଓ ଜିଲ୍ଲାପାଳମାନଙ୍କ ସହାୟତାରେ ସେ ଜମି ହଡ଼ପ କରି ନେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ଯାହାର ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ।

ମହାରଥୀଙ୍କ ଜମି ହଡପ ନେଇ ୨୦୧୫ରେ ଓଡ଼ିଶା ହାଇକୋର୍ଟରେ ନିଜେ ଯୁଧିଷ୍ଠିର ମାମଲା ଦାଏର କରିଥିଲେ। ୨୦୧୬ରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଦରଖାସ୍ତକାରୀ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲ୍ଲାପାଳ ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ। ମାତ୍ର ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ତେବେ ବିଜେପିର ଏଭଳି ଅଭିଯୋଗକୁ ନେଇ ଯୁଧିଷ୍ଠିରଙ୍କ ପ୍ରତିକ୍ରିୟା ମିଳିନାହିଁ। ସେପଟେ ପ୍ରଦୀପ ମହାରଥୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ସରକାର ବୁଝିବେ ବୋଲି ସେ କହିଛନ୍ତି।

ପରବର୍ତ୍ତି ସମୟରେ ସଚିବାଳୟରେ ଉଭୟେ ଏକାଠି ହେବାର ଚିତ୍ର ସାମ୍ନାକୁ ଆସିଥିଲା ବୋଲି ଅଭିଯୋଗ କରିଛନ୍ତି ଗୋଲକ। ତେବେ ଏନେଇ ମହାରଥୀ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେପି ଯାହା ଅଭିଯୋଗ ଆଣୁଛି ଆଣୁ ସରକାର ବୁଝିବେ । ସେପଟେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇନଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।

Comments are closed.