ଶିବସେନା, କଂଗ୍ରେସ ଓ ଏନସିପି ଦେଇଥିବା ଚିଠିରେ ନୂଆ ମୋଡ, ସାମ୍ନାରେ ୨ଟି ପ୍ରଶ୍ନ

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଆସୁଛି ନୂଆ ମୋଡ। ଏବେବି ମହାରାଷ୍ଟ୍ର ରାଜନୀତିକୁ ଦେଖିଲେ ଆଗକୁ ଆହୁରି ନୂଆ ମୋଡ ଆସିପାରେ। ଆଜି ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ରାଜ୍ୟପାଳଙ୍କୁ ସରକାର ଗଠନ କରିବା ନେଇ ଏକପତ୍ର ଦାଖଲ କରିଥିଲେ। ଯେଉଁଥିରେ କାହା ନେତୃତ୍ବରେ ସରକାର ଗଠନ ହେବ ଏବଂ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ସ୍ପଷ୍ଟ ଲେଖା ହୋଇନାହିଁ। ଏପରିକି ମରାଠୀ ଭାଷାରେ ଲେଖାହୋଇଥିବା ପତ୍ରରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସ୍ବାକ୍ଷର ନଥିବାବେଳେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ବାକ୍ଷର ଅଛି।
ଯାହାକୁ ନେଇ ଏବେ ଦୁଇଟି ପ୍ରଶ୍ନ ଉଠୁଛି। ପ୍ରଥମତଃ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ କୌଣସି ସ୍ପଷ୍ଟତା ନାହିଁ । ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏପର୍ଯ୍ୟନ୍ତ ସହମତି ହୋଇ ପାରିନାହିଁ। ଦ୍ବିତୀୟତଃ ଏପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା ମନୋନିତ ହୋଇନାହାନ୍ତି। ଏଭଳି କ୍ଷେତ୍ରରେ ରାଜ୍ୟପାଳ ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷଙ୍କ ସ୍ବାକ୍ଷରକୁ ଗ୍ରହଣ କରିବେ ନା ନାଇଁ। ଯାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ।