Odisha Link
Bridging the Missing Links in Odisha

ଜମି ବିବାଦ ସମାଧାନ ପାଇଁ ‘ଲାରା’କୋର୍ଟ

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ବେଳେ ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସମସ୍ୟାରେ ଉପୁଜୁଥିବା ବିବାଦକୁ ସୁରୁଖୁରୁରେ ସମାଧାନ କରିବାକୁ ନିମନ୍ତେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ କର୍ତ୍ତୃପକ୍ଷ(ଲାରା) କୋର୍ଟ ଖୋଲା ଯାଇଛି।ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ରେଭିନ୍ୟୁ ଡିଭିଜନାଲ କମିଶନର (ଆରଡିସି) ଅଞ୍ଚଳରେ ଏହି ଲାରା କୋର୍ଟ କାର୍ଯ୍ୟକ୍ଷମ କରାଯାଇଛି। ଉକ୍ତ କୋର୍ଟ ଏଣିକି ଜମିଜମା ସଂକ୍ରାନ୍ତୀୟ ସମସ୍ତ ବିବାଦ ଫଇସଲା କରିବ। ଜିଲାସ୍ତରରେ ପୂର୍ବରୁ ଗଡ଼ି ଆସୁଥିବା ଜମି ସମ୍ବନ୍ଧୀୟ ବିବାଦକୁ ସମାଧାନ କରିବା ଦିଗରେ ଲାରା କୋର୍ଟ ପ୍ରାଥମିକତା ଦେବ। ଜିଲା ପ୍ରଶାସନ ଏବଂ ଜିଲା ଦେୱାନୀ କୋର୍ଟରେ ପଡି ରହିଥିବା ସମସ୍ତ ପୁରୁଣା ମାମଲାକୁ ତୁରନ୍ତ ଲାରା କୋର୍ଟକୁ ହସ୍ତାନ୍ତର କରିବାପାଇଁ ସରକାରଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି

ରାଜସ୍ବ ବିଭାଗର ନିର୍ଦେଶନାମା ଅନୁଯାୟୀ କେନ୍ଦ୍ରାଞ୍ଚଳ ଆରଡିସି ଅଞ୍ଚଳରେ ଥିବା ୧୦ଟି ଜିଲାର ଜମିଜମା ବିବାଦ ଫଇସଲା କରିବାପାଇଁ କଟକସ୍ଥିତ କ୍ୟାଣ୍ଟନମେଣ୍ଟ ରୋଡରେ ଲାରା କୋର୍ଟ କାର୍ଯ୍ୟ କରିବ। ସେହିପରି ବ୍ରହ୍ମପୁରରେ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଲାରା କୋର୍ଟ ଖୋଲା ଯାଇଥିବାବେଳେ ସମ୍ବଲପୁର ଜେଲ ଛକସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସଂପ୍ରତି କାର୍ଯ୍ୟକ୍ଷମ ହୋଇଛି। କଟକସ୍ଥିତ ଲାରା କୋର୍ଟର ବିଚାରପତି ଭାବେ ସବିତା ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ରହ୍ମପୁର ଲାରା କୋର୍ଟ ପାଇଁ ବିଚାରପତି ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ଏବଂ ସମ୍ବଲପୁର ପାଇଁ ବିଚାରପତି ଅଶୋକ କୁମାର ପାହୀଙ୍କୁ ଦାୟିତ୍ବ ଦିଆଯାଇଛି। ଲାରା କୋର୍ଟକୁ ରେଜିଷ୍ଟ୍ରାର ଭାବେ କଟକ ଆରଡିସିଙ୍କ ଅତିରିକ୍ତ ଶାସନ ସଚିବ ସଞ୍ଜିତା ଦାସଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସମ୍ବଲପୁର ପାଇଁ ବିକାଶ ଚନ୍ଦ୍ର ବେନ ଏବଂ ବ୍ରହ୍ମପୁର ପାଇଁ ପ୍ରଦୀପ କୁମାର ମିଶ୍ରଙ୍କୁ ନିଯୁକ୍ତି ହୋଇଛନ୍ତି।

Comments are closed.