Odisha Link
Bridging the Missing Links in Odisha

ଫିକି ଓଡ଼ିଶା ଶକ୍ତି ସମ୍ମିଳନୀ ଓଡ଼ିଶାରେ ସବୁଜ ଶକ୍ତିର ବିପୁଳ ସୁଯୋଗ: ଦିବ୍ୟ ଶଙ୍କର

ଭୁବନେଶ୍ୱର: ଓଡ଼ିଶାରେ ସବୁଜ ଶକ୍ତି କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଫିକି ଓଡ଼ିଶା ରାଜ୍ୟ ପରିଷଦ ତରଫରୁ ଆଜି ହୋଟେଲ୍ ସ୍ୱସ୍ତି ପ୍ରିମିୟମରେ ଆୟୋଜନ କରାଯାଇଥିବା ଓଡ଼ିଶା ଶକ୍ତି ସମ୍ମିଳନୀକୁ ଉଦଘାଟନ କରି ସେ କହିଛନ୍ତି ଯେ, ରାଜ୍ୟରେ ଛଅ ଲକ୍ଷ ହେକଟରରୁ ଅଧିକ ସ୍ଥାନରେ ଜଳ ରହିଛି ।

ସେଥି ମଧ୍ୟରୁ ୨ ଲକ୍ଷ ହେକ୍ଟର ଜଳ କେବଳ ଜଳାଶୟଗୁଡ଼ିକରେ ଗଚ୍ଛିତ ରହିଛି । ଏହା ଆମକୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଜଳ ବିଦ୍ୟୁତ କ୍ଷେତ୍ରରେ ବହୁତ ଆଗରେ ରଖୁଛି । କେବଳ ଜଳ ବିଦ୍ୟୁତ ନୁହେଁ, ସୌର ଶକ୍ତି ଏବଂ ପବନ କଳ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସବୁଜ ଶକ୍ତିର ବିକାଶ ଲାଗି ଆମେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଯାଉଛୁ ବୋଲି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବିଦ୍ୟୁତ ଯୋଗାଣରେ ଯେଉଁ କ୍ଷତି ହେଉଛି ତାହାକୁ କମ କରିବା ଲାଗି ଆମକୁ ଭିତ୍ତି ଭୂମିର ଉନ୍ନତୀକରଣ କରିବାକୁ ପଡ଼ିବ । ଏବେ ଶିଳ୍ପ ସଂସ୍ଥାଗୁଡ଼ିକ ନିଜର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ଲାଗି କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ସ୍ଥାପନ କରୁଛନ୍ତି । ଯଦି ରାଜ୍ୟ ସରକାର ପ୍ରତିଟି ଶିଳ୍ପ ସଂସ୍ଥାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେଇପାରିବେ ତେବେ କୋଇଲାରେ ଚାଲୁଥିବା ସିପିପିଗୁଡ଼ିକର ଆବଶ୍ୟକ ହେବ ନାହିଁ ।’’

ରାଜ୍ୟରେ ବିପୁଳ ପରିମାଣର କୋଇଲା, ବକ୍ସାଇଟ ଓ ଲୁହା ପଥର ରହିଛି । ସେଥିପାଇଁ ଏହା ପୁଞ୍ଜିନିବେଶ ଲାଗି ଏକ ପସନ୍ଦର ସ୍ଥାନ ଭାବେ ଉଭା ହୋଇଛି । ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ଗୁଜରାଟ ଭଳି ରାଜ୍ୟ ପରିପକ୍ୱ ସ୍ତରରେ ପହଞ୍ଚିଗଲେଣି । ଏହି ସମୟରେ ଓଡ଼ିଶା ହିଁ ଏକମାତ୍ର ରାଜ୍ୟ ଯାହା ନିବେଶକମାନଙ୍କୁ ସେମାନଙ୍କ ପୁଞ୍ଜିନିବେଶର ସର୍ବାଧିକ ମୂଲ୍ୟ ପ୍ରଦାନ କରିପାରିବ । ଓଡ଼ିଶା ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ରୂପାନ୍ତରିତ ହେବାକୁ ସ୍ୱପ୍ନ ଦେଖୁଛି । ଏହାର ଯଥାର୍ଥତା ମଧ୍ୟ ଅଛି । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଶକ୍ତି କ୍ଷେତ୍ର ପ୍ରମୁଖ ଭୂମିକା ନିର୍ବାହ କରିପାରିବ । ବିକାଶ ପାଇଁ ପ୍ରକୃତ ପଥ ଶକ୍ତି ବୋଲି ସେ କହିଛନ୍ତି ।

ରାଜ୍ୟ ଶକ୍ତି ବିଭାଗର କମିସନର ତଥା ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ, “ସ୍ମାର୍ଟ ମିଟର ସ୍ଥାପନ କରି ଆମେ ଶକ୍ତି କ୍ଷତିକୁ କମ୍ କରିପାରିଛୁ । ସ୍ଥିର ବିଦ୍ୟୁତ ଯୋଗାଣ ଲାଗି ଆମେ ପ୍ରତିଟି ସ୍ତରରେ ଉନ୍ନତି ଆଣିବା ଲାଗି ଉଦ୍ୟମ କରୁଛୁ । ଅନେକ ଗ୍ରାହକ କୈନ୍ଦ୍ରୀକ ପଦକ୍ଷେପ ଗ୍ରହଣ କରାଯାଉଛି । ଗ୍ରାହକମାନେ ଯେଭଳି ସୁବିଧାରେ ଇଲେକଟ୍ରି ବିଲ୍ ପେମେଣ୍ଟ କରିପାରିବେ ସେଥିପାଇଁ ସେମାନଙ୍କୁ ବ୍ୟାଙ୍କ, ଡାକ ଘର, ମୋବାଇଲ୍ବ୍ୟା ଙ୍କିଙ୍ଗ ଭଳି ଅନେକ ପେମେଣ୍ଟ ବିକଳ୍ପ ପ୍ରଦାନ କରାଯାଇଛି । ସେମାନଙ୍କୁ ଆଉ ଧାଡ଼ିରେ ଠିଆ ହେବାକୁ ପଡ଼ୁନାହିଁ । ଓଡ଼ିଶା ଏବେ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମି ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି ।

ସେ ସୂଚନା ଦେଇଛନ୍ତି ଯେ, ବିଦ୍ୟୁତ ଚୋରିକୁ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଭଳି ନାଗରିକ ସଂଗଠନଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି । ସେମାନେ ବିଦ୍ୟୁତ ଚୋରି ବିଷୟରେ ସୂଚନା ଦେଉଛନ୍ତି । ଏହା ବହୁତ ସଫଳ ହୋଇଛି ବୋଲି ସେ କହିଛନ୍ତି ।

ସବୁ ବିଦ୍ୟୁତ ୟୁଟିଲିଟିକୁ ପ୍ରଯୁକ୍ତି ଜରିଆରେ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି । ଏହି ଅବସରରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ, ବିଦ୍ୟୁତ କ୍ଷେତ୍ରରେ ଓଡ଼ିଶା ଦୀର୍ଘ ବର୍ଷ ତଳୁ ସଂସ୍କାର ଆରମ୍ଭ କରି ଆଗରେ ରହିଥିଲା । ଏବେ କିନ୍ତୁ ରାଜ୍ୟରେ ପ୍ରାକୃତି ବିପର୍ଯ୍ୟୟ ଅଧିକ ହେଉଛି ।

ତାହାକୁ ଦୃଷ୍ଟିରେ ରଖି ଆମକୁ ବିଦ୍ୟୁତ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବେଦାନ୍ତ ଲିମିଟେଡ୍ର ସିଇଓ ସି ଏନ୍ ସିଂହ ଓ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Comments are closed.