Odisha Link
Bridging the Missing Links in Odisha

ଉପନିର୍ବାଚନରେ ଟିଏମସିର ବାଜିମାତ, ମମତା କହିଲେ ବିଜେପିର..

କୋଲାକାତା: ଆସିଯାଇଛି ପଶ୍ଚିମବଙ୍ଗ ଉପ-ନିର୍ବାଚନ ଫଳାଫଳ। ଫଳାଫଳରେ ବାଜିମାତ କରିଛି ମମତାଙ୍କ ତୃଣମୂଳ କଂଗ୍ରେସ। ଲୋକସଭା ନିର୍ବାଚନରେ ଏକାଧିକ ଆସନ ଛଡ଼ାଇ ଆଣିଥିବା ବିଜେପି ଏବେ ବିଧାନସଭା ଉପ ନିର୍ବାଚନରେ ନିରାଶ ହୋଇଛି। ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସି ବାଜିମାତ କରିଛି। ଉପ ନିର୍ବାଚନ ହେଉଥିବା ୩ଟି ଆସନ ମଧ୍ୟରୁ ଟିଏମସି ପାଖରେ କେବଳ କରିମପୁର ସିଟ୍‌ ରହିଥିଲା। ସେହିପରି କାଲିଗଞ୍ଜ କଂଗ୍ରେସ ପାଖରେ ଓ ଖାରଗାପୁର ସଦର ବିଜେପି ନିଜ ପାଖରେ ରଖିଥିଲା।

ହେଲେ ଟିଏମସି କଂଗ୍ରେସ ଓ ବିଜେପି ଠାରୁ ଗୋଟିଏ ଲେଖାଏ ଆସନ ଛଡ଼ାଇ ଆଣିଛି। କାଲିଗଞ୍ଜ ଆସନରେ ଟିଏମସି ନେତା ତପନ ଦେବ ସିଂହ ତାଙ୍କ ନିଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କମଲ ଚନ୍ଦ୍ର ସରକାରଙ୍କୁ ୨,୩୦୪ ଖଣ୍ଡ ଭୋଟରେ ହରାଇଛନ୍ତି। ସେହିପରି ଖାରଗାପୁର ସଦର ଆସନରେ ଟିଏମସି ନେତା ପ୍ରଦୀପ ସରକାର ୨୦,୮୧୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କରିମପୁର ଆସନରେ ବିଜେପି ଜୋରଦାର ଲଢ଼େଇ କରିଥିଲେ ହେଁ ଟିଏମସିର ବିମଳେନ୍ଦୁ ସିହ୍ନା ରୟ ଏଠାରେ ବାଜିମାତ କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ବିଜେପି ତା’ର ଯାଦୁ ଦେଖାଇଛନ୍ତି। ପିଥୋରଗଡ଼ରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିର ଚନ୍ଦ୍ର ପନ୍ତ ବିଜୟୀ ହୋଇଛନ୍ତି।

ପଶ୍ଚିମବଙ୍ଗ ଉପ ନିର୍ବାଚନରେ ଟିଏମସିର କ୍ଲିନସୁଇପ୍‌ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ ବିଜେପି କ୍ଷମତା ଦଖଲର ଅହଂକାର ଓ ରାଜ୍ୟବାସୀଙ୍କୁ ଅପମାନିତ କରିବାର ପରିଣାମ ଭୋଗିଛି। ଆମେ ଏହି ବିଜୟ ପଶ୍ଚିମବଙ୍ଗବାସୀଙ୍କୁ ଉର୍ତ୍ସଗ କରୁଛୁ। ବିଜେପିର ସମୟ ସରିଯାଇଛି। ଅହଂକାରର ଜବାବ ଲୋକେ ଦେଇଛନ୍ତି। ସିପିଏମ ଓ କଂଗ୍ରେସ ଏଠାରେ ନିଜକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ବିଜେପିକୁ ସହଯୋଗ କରୁଥିଲେ। ହେଲେ ଲୋକେ ଏହାକୁ ଠିକ ଭାବେ ବୁଝିଛନ୍ତି।”

Comments are closed.