Odisha Link
Bridging the Missing Links in Odisha

ଦାୟିତ୍ବ ନେଲେ ଉଦ୍ଧବ, ସଞ୍ଜୟ କହିଲେ ଏବେ ଗୋଆରେ ହେବ ଚମତ୍କାର

ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଆଜି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଛନ୍ତି ଉଦ୍ଧବ ଠାକରେ।। ଉଦ୍ଧବ ଆଜି ମହାରାଷ୍ଟ୍ର ସଚିବାଳୟକୁ ଯାଇ ନିଜ କାର୍ଯ୍ୟଭାର ଦାୟିତ୍ବ ଗ୍ରହଣ କରିଛନ୍ତି।

ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଦୂର ହୋଇଯାଇଛି। ଏବେ ସମସ୍ତଙ୍କ ନଜର ଗୋଆ ଉପରେ ଅଛି। ଆଗକୁ ଗୋଆରେ ଚମତ୍କାର ହେବ ବୋଲି କହିଛନ୍ତି ସଞ୍ଜୟ। ସଞ୍ଜୟଙ୍କ ଏଭଳି ବୟାନକୁ କଡା ସମାଲୋଚନା କରିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ମନୋହର ଅଜଗାବକର। ସେ କହିଛନ୍ତି ଯେ, ସେ ସ୍ବପ୍ନ ଦେଖୁଛନ୍ତି। ଗୋଆ ଅଧିବାସୀଙ୍କ ପାଖେ ସୁଦୃଢ ସରକାର ଅଛି।

ଶନିବାର ହେବ ବହୁମତ ପରୀକ୍ଷା:
ଉଦ୍ଧବ ଠାକରେଙ୍କ ସରକାରକୁ ଶନିବାର ବହୁମତ ପରୀକ୍ଷା ଦେବାକୁ ପଡ଼ିବ। ମହାରାଷ୍ଟ୍ର ବିଧାନସଭାରୁ ମିଳିଥିବା ସୂତ୍ର ଅନୁସାରେ ଶନିବାର ବହୁମତ ପରୀକ୍ଷା ହୋଇପାରେ। ରାଜ୍ୟପାଳ ଭଗତ ସିଂହ କୋସିଆରୀ ଉଦ୍ଧବ ଠାକରେ ସରକାରଙ୍କୁ ଡିସେମ୍ବର ୩ତାରିଖ ମଧ୍ୟରେ ବହୁମତ ପରୀକ୍ଷା ପାଇଁ ସମୟ ଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଛନ୍ତି। ଏହି ମେଣ୍ଟ ସରକାରରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମେଣ୍ଟ ସରକାର ସପକ୍ଷରେ ୧୬୨ରୁ ଅଧିକ ବିଧାୟକ ରହିଥିବା ୩ ଦଳ ଦାବି କରିଛନ୍ତି।

Comments are closed.