ରାହୁଲ ବଜାଜଙ୍କ ପ୍ରଶ୍ନର ଉତ୍ତର ଦେଲେ ସୀତାରମଣ, କହିଲେ ମୋଦି ସରକାର ସମସ୍ତଙ୍କ କଥା ଶୁଣନ୍ତି

ନୂଆଦିଲ୍ଲୀ: ଆଜି ସଂସଦରେ ଶିଳ୍ପପତି ରାହୁଲ ବଜାଜଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସରକାରଙ୍କୁ ପ୍ରଶ୍ନ ଓ ସମାଲୋଚନା କରିବାକୁ ଲୋକେ କାହିଁକି ଡରୁଛନ୍ତି ବୋଲି ଗତକାଲି ରାହୁଲ ବାଜାଜ ପ୍ରଶ୍ନ କରିଥିଲେ। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, “ସରକାର ସର୍ବଦା ସମାଲୋଚନାକୁ ଶୁଣନ୍ତି ଏବଂ ଏହାର ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି।”
ଆଜି ସଂସଦରେ ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଥିବାରୁ ଏହା ଉପରେ ବିତର୍କ ହୋଇଥିଲା। ଏହି ସମୟରେ ସୀତାରମଣ କହିଥିଲେ, “ବାଜାଜଙ୍କ ପ୍ରଶ୍ନର ଉତ୍ତର ସେତେବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିଲେ। ଏଥିରୁ ସରକାର ସମସ୍ତଙ୍କ କଥା ଶୁଣନ୍ତି ଏବଂ ଏହାର ଜବାବ ଦିଅନ୍ତି ବୋଲି ପ୍ରମାଣିତ ହୋଇଛି।
ମୁଁ ମଧ୍ୟ ସେତେବେଳେ ଷ୍ଟେଜରେ ଥିଲି। ଆମେ ସମାଲୋଚନାକୁ ଶୁଣିବାକୁ ଓ ଏହାର ଜବାବ ଦେବାକୁ ଇଚ୍ଛା ପ୍ରକାଶ କରୁ। ଆମେ କେବେ ହେଲେ ଅନ୍ୟମାନଙ୍କ ଭଳି କିଛି କହିବୁ ନାହିଁ ବୋଲି କାହାକୁ କହୁନାହୁଁ। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା ହିଁ ଆମ ଶୁଣିବାକୁ ଭଲ ପାଉ ବୋଲି ଦର୍ଶାଉଛି।”