Odisha Link
Bridging the Missing Links in Odisha

ନିଲାମ ହେବ ୨୦ଟି ଖଣି

ଭୁବନେଶ୍ୱର: ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟ ସରକାର ୨୦ଟି ଖଣି ନିଲାମ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୨୦ଟି ଖଣି ମଧ୍ୟରେ ୧୨ଟି ଲୁହା ପଥର, ୨ଟି ମାଙ୍ଗାନିଜ୍ ଏବଂ ୬ଟି ଲୁହା ପଥର ଓ ମାଙ୍ଗାନିଜ୍ ଖଣି ରହିଛି। ନିଲାମ ପାଇଁ ଥିବା ୧୨ଟି ଲୁହା ପଥର ଖଣି ହେଲା ଗୋରୁମହିଷାଣୀ, ବାଦାମପାହାଡ଼, ଜଜାଙ୍ଗ, ନାଡ଼ିଡିହ, ବାଲଦା, ନୂଆଗାଁ, ଠାକୁରାଣୀ, ଝିଲିଙ୍ଗ୍-ଲଙ୍ଗଲୋତା, ଜରିବାହଲ ରୋଇଡ଼ା-୨, ଜୁଜୁରି ଏବଂ ଗନୁଆ।

କଟାସାହି ଏବଂ କନ୍ଥେର-କୋଇଡ଼ା ମାଙ୍ଗାନିଜ ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୬ଟି ଲୁହା ପଥର ଏବଂ ମାଙ୍ଗାନିଜ୍ ଖଣି ହେଲା ନାଡ଼ିଡ଼ିହ (ଫ୍ରିଗେଡ୍), ତେହେରାଇ, କୋଲମଙ୍ଗ, ସିଲଯୋର-କାଲିମାଟି, ନାରାୟଣପଷି ଏବଂ ମହୁଲଶୁଖା। ଏସବୁ ଖଣି ମଧ୍ୟରୁ ୬ଟି ଖଣକୁ ସ୍ପଞ୍ଜ, ଆଇରନ ଉତ୍ପାଦନକାରୀ ଏବଂ/ବା ପିଗ୍ ଆଇରନ୍ ଏବଂ/ବା ଇସ୍ପାତ ଏବଂ/ବା ପେଲେଟ ଉତ୍ପାଦନକାରୀଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। ସେହି ଖଣି ହେଲା ଠାକୁରାଣୀ ଲୁହାପଥର ଖଣି, ଜରିବାହଲ ଲୁହାପଥର ଖଣି, ରୋଇଡ଼ା-୨ ଲୁହାପଥର ଖଣି, ଗନୁଆ ଲୁହାପଥର ଖଣି ଏବଂ ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ ଖଣି।

ଖଣି ଏବଂ ଖଣିଜ(ବିକାଶ ଏବଂ ନିୟନ୍ତ୍ରଣ) ଆଇନ୍-୧୯୫୭ର ଧାରା ୧୦(ବି) ଏବଂ ଖଣିଜ (ନିଲାମ) ନିୟମ, ୨୦୧୫ ଅନୁଯାୟୀ ଏହି ନିଲାମ ଡକାଯାଇଛି। ଆର୍ଥିକ ନିଲାମକୁ କେବଳ ଡିଜିଟାଲ ଫର୍ମାଟରେ ଆହ୍ୱାନ କରାଯାଇଛି। ବୈଷୟିକ ନିଲାମକୁ ଉଭୟ ଡିଜିଟାଲ ଓ ଫିଜିକାଲ ଫର୍ମାଟରେ ଆହ୍ୱାନ କରାଯାଇଛି। ଯୋଗ୍ୟ ସଂସ୍ଥା ଗୁଡ଼ିକ ଏହି ନିଲାମରେ ଭାଗ ନେଇପାରିବେ।

ଏମ୍ଏସଟିସି ଲିମିଟେଡର ୱେବସାଇଟରେ ନିଲାମ ସମ୍ବନ୍ଧୀୟ ତଥ୍ୟ ଦିଆଯାଇଛି। ୱେବସାଇଟରେ ପଞ୍ଜୀକରଣ ସଫଳ ପରେ ନିଲାମରେ ଭାଗ ନେଇପାରିବେ। ଟେଣ୍ଡର କାଗଜପତ୍ର କ୍ରୟର ଶେଷ ତାରିଖ ଡିସେମ୍ବର ୩୦। ସେହିଭଳି ନିଲାମ ଦାଖଲର ଶେଷ ଦିବସ ୨୦୨୦ ଜାନୁଆରୀ ୩ ତାରିଖ ମଧ୍ୟାହ୍ନ ୧୨ଟା। ଗୋଟିଏ ଖଣି ପାଇଁ ଟେଣ୍ଡର କାଗଜପତ୍ର ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି।

ପୂର୍ବରୁ ଗତ ଅକ୍ଟୋବରରେ ୩ଟି ପର୍ଯ୍ୟାୟରେ ୪୦ଟି ଖଣି ନିଲାମ ପାଇଁ ସରକାର ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ କେତେକ କମ୍ପାନୀ ଗଳାବାଟର ସୁଯୋଗ ନେଇ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା । ଫଳରେ ସରକାର ୪୦ଟି ଯାକ ଖଣି ନିଲାମ ବାତିଲ କରିଥିଲେ। ଏଥିସହ ୨୦ଟି ଖଣିର ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ।

Comments are closed.