Odisha Link
Bridging the Missing Links in Odisha

କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ?

ଭୁବନେଶ୍ୱର: ଆଜି ସରିଲା ରାଜ୍ୟ ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା। ଅନ୍ୟପଟେ କିଏ ଧରିବ ରାଜ୍ୟ ବିଜେପି ମଙ୍ଗୁଆଳ ସେ ନେଇ ଚାଲିଛି ଅଙ୍କକଷା। ଲାଗି ରହିଥିବା ଚର୍ଚ୍ଚା ଅନୁସାରେ ଇଂରାଜୀ ନବବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ।

ହେଲେ ଏଥର ରାଜ୍ୟ ବିଜେପି ସଭାପତି ଉପକୂଳ ନା ପଶ୍ଚିମ ଓଡ଼ିଶାରୁ ହେବେ ସେନଇ ଚାଲିଛି ଚର୍ଚ୍ଚା। ଅନ୍ୟପଟେ ପୂର୍ବଭଳି ଅଭିଜ୍ଞ ଚହେରାଙ୍କୁ ମିଳିବ ଦାୟିତ୍ବ ନା ଯୁବ ଚେହେରାଙ୍କୁ ଦାୟିତ୍ବ ମିଳିବ ତାହା ଆଉ ଅଳ୍ପଦିନ ଭିତରେ ସ୍ପଷ୍ଟ ହୋଇଯିବ। ଆସନ୍ତା ରବିବାର ଘୋଷଣା ହୋଇପାରେ ରାଜ୍ୟ ବିଜେପିର ନୂଆ ସଭାପତିଙ୍କ ନାଁ। ଗତ ଥର ପରି ଚଳିତ ଥର ମଧ୍ୟ ନିର୍ବାଚନ ଅପେକ୍ଷା ଚୟନ ଆଡକୁ ମୁହାଁଉଛି ରାଜ୍ୟ ବିଜେପି। ଡିସେମ୍ବର ୨୦ ସୁଦ୍ଧା ରାଜ୍ୟ ସଭାପତି ନିବାର୍ଚନ ପ୍ରକ୍ରିୟା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି।

ରାଜ୍ୟ ସଭାପତି ନିର୍ବାଚନ ପୂର୍ବରୁ ଦଳୀୟ ନେତା ଅସନ୍ତୋଷ ଜାହିର କରିଛନ୍ତି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମରେ କହିଛନ୍ତି ଯେ, ମୋତେ ବିଧାୟକ ଦଳ ନେତା ପଦବୀ ଦେଇନଥିଲେ। ସଭାପତି କାହିଁକି କରିବେ। ମୁଁ ରେସରେ ନାହିଁ, ଯଦି ବି ସଭାପତି ପଦ ଦିଆଯାଏ ମୁଁ ଗ୍ରହଣ କରିବି ନାହିଁ ।’ ଏଥିସହ ମୋତେ କାହିଁକି ସଭାପତି ପଦବୀ ମିଳିବ ବୋଲି ନିଜେ ପ୍ରଶ୍ନ କରିବା ସହ ଏଭଳି ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି।ହେଲେ ଘରେ ନ ପଶୁଣୁ ଚାଳ ବାଜିଲାଭଳି ନିବାର୍ଚନ ପୂର୍ବରୁ ହିଁ ଦଳୀୟ ନେତା ଜାହିର କଲେଣି ଅସନ୍ତୋଷ।

ରାଜ୍ୟ ସଭାପତି ଦୌଡ଼ରେ କେଉଁ ନେତାମାନେ ଅଛନ୍ତି ସେ ଉପରେ ଆସନ୍ତୁ ନଜର ପକାଇବା।

ସମୀର ମହାନ୍ତି: ଭୁବନେଶ୍ବରର ପୂର୍ବତନ କର୍ପୋରେଟର ତଥା ବର୍ତ୍ତମାନର ବିଜପେିର ରାଜ୍ୟ ଉପସଭାପତି ସଭାପତି ଦୌଡ଼ରେ ସାମିଲ ଅଛନ୍ତି। ହେଲେ ପୂର୍ବରୁ ରାଜ୍ୟସ୍ତରୀୟ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ସମୀର। ବିଜେପିର ହେଭିଓ୍ୱେଟ୍ ନେତାଙ୍କ ସମର୍ଥନ ସମୀରଙ୍କ ପାଖରେ ଥିବା ଚର୍ଚ୍ଚା ଲାଗି ରହିଛି। ଅନ୍ୟପଟେ ଯଦି ସମୀରଙ୍କ ରାଜ୍ୟ ମଙ୍ଗଆଳ ଦାୟିତ୍ବ ମିଳୁଛି ଦଳରେ ଥିବା ବରିଷ୍ଠମାନେ ଅସନ୍ତୋଷ ପ୍ରକାଶ କରିବା କଥା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କନକବର୍ଦ୍ଧନ ସିଂହଦେଓ: ପୂର୍ବରୁ ରାଜ୍ୟ ସଭାପତି ରହିସାରିଥିବା କନକବର୍ଦ୍ଧନ ସିଂହଦେଓ ସଭାପତି ଦୌଡରେ ଆଗରେ ଥିବା ଚର୍ଚ୍ଚା ହେଉଛି। କନକଙ୍କ ପତ୍ନୀ ସଙ୍ଗୀତା ସଂହଦେଓ ବର୍ତ୍ତମାନ ବଲାଙ୍ଗୀର ସାଂସଦ ଅଛନ୍ତି। ଯଦି ଶ୍ରୀ ସିଂହଦେଓଙ୍କୁ ଦାୟିତ୍ବ ମିଳେ ତେବେ ଗୋଟିଏ ପରିବାରକୁ ଅଧିକ କ୍ଷମତା ମିଳିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ପୃଥ୍ୱୀରାଜ ହରିଚନ୍ଦନ:
ରାଜ୍ୟ ବିଜେପିର ସାଧାରଣ ସଂପାଦକ ଅଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ପ୍ରତ୍ୟକ୍ଷ ନିବାର୍ଚନରେ ବାରମ୍ବାର ପରାଜିତ ହେଉଛନ୍ତି ପୃଥ୍ୱୀରାଜ। ହେଲେ ତାଙ୍କ ପାଖରେ ବି ରହିଛି ହେଭିଓ୍ୱେଟ୍ ନେତାଙ୍କ ସମର୍ଥନ। ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଦାୟିତ୍ୱ ମିଳିଛି ଏଠାରେ ବି ଗୋଟାଏ ପରିବାରକୁ ଦୁଇ ଦୁଇଟି ବଡ଼ ପଦ ମିଳିବା ନେଇ ଦ୍ୱନ୍ଦ୍ୱ ଥିବା ଚର୍ଚ୍ଚା।

ଅପରାଜିତା ଷଡ଼ଙ୍ଗୀ:
ପ୍ରଶାସିକାରୁ ସାଂସଦ ହୋଇଥିବା ଭୁବନେଶ୍ୱରର ଅପରାଜିତା ଷଡଙ୍ଗୀଙ୍କ ପାଇଁ ସଭାପତି ପଦ ନେଇ କିଛି ନେତା ଲବି କରୁଥିବା ଖବର ରହିଛି। ହେଲେ ଗତ ଥର ସଭାପତି ରେସରୁ ବିଜୟ ମହାପାତ୍ର ଆଉଟ ହେବା ଦଶା ଭୋଗି ପାରନ୍ତି ଅପରାଜିତା। କାରଣ ୧୦ ବର୍ଷ ବିଜେପି ସଦସ୍ୟ ହିଁ ହୋଇପାରିବେ ରାଜ୍ୟ ସଭାପତି ପାଇଁ ଦାବିଦାର। ଏହି ନିୟମ କେବଳ ଆସାମ ମୁଖ୍ୟମନ୍ତ୍ରୀ ସବାର୍ନନ୍ଦ ସୋନେଓ୍ୱାଲଙ୍କ କ୍ଷେତ୍ରରେ କୋହଳ କରିଥିଲା ଦଳ।
ବସନ୍ତ ପଣ୍ଡା:
ରାଜ୍ୟ ସଭାପତି ଚୟନ ନେଇ ଦ୍ୱନ୍ଦ୍ୱ ଦେଖା ଦେଲେ ଦଳର ଲକି ସଭାପତି କୁହାଯାଉଥିବା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ପୁଣି ଥରେ ଦାୟିତ୍ୱ ମିଳିପାରେ। ବସନ୍ତ ଏବେ କଳାହାଣ୍ଡିରୁ ସାଂସଦ ଅଛନ୍ତି। ଏ ସବୁ ଚର୍ଚ୍ଚା ମଧ୍ୟରେ ଆଉ ଦିନ କେଇଟାରେ ସ୍ପଷ୍ଟ ହେବ ଦଳୀୟ ସଭାପତିଙ୍କ ନାଁ।

Comments are closed.