୧୭ ଡ଼ିସେମ୍ବରରୁ ଆରମ୍ଭ ହେବ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର : ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ (୧୫ ଏବଂ ୧୭ ବର୍ଷରୁ କମ୍) ବାଳିକା ଓ ବାଳକ ବିଭାଗ ପାଇଁ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ୨୦୧୯ର ୧୦ଟି ବର୍ଗରେ ପ୍ରାୟ ୫୪୦ ଉଦୀୟମାନ ସଟଲରଙ୍କ ସମେତ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୬୦ ଜଣ ବାଳିକା ପ୍ରତିଦ୍ୱନ୍ଦିତା କରିବାର କାର୍ଯ୍ୟକ୍ରମ ରହିଛି । ଯାହାକି ଆସନ୍ତାକାଲିଠାରୁ ସ୍ଥାନୀୟ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମ ଓ ସହିଦ୍ ନଗର ଇଣ୍ଡୋର୍ ହଲ୍ ରେ ଆୟୋଜିତ ହେବାକୁ ଯାଉଛି ।
ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗରେ ଓଡିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏଶନ ପକ୍ଷରୁ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଏସବିଏ ଅଧ୍ୟକ୍ଷ, ରୋହିତ ପୁଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଭାରତର କ୍ରୀଡା ରାଜଧାନୀ କରିବା ପାଇଁ ବଡଧରଣର ପଦକ୍ଷେପମାନ ଗ୍ରହଣ କରିଛନ୍ତି ।
ତାଙ୍କ ସ୍ୱପ୍ନରେ ଅନୁପ୍ରାଣିତହୋଇ ଆମେ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଆୟୋଜନ କରିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛୁ ।ବ୍ୟାଡ଼ମିଣ୍ଟନ ଆସୋସିଏଶନ ଅଫ ଇଣ୍ଡିଆ (ବିଆଇଏ) ସଚିବ (ଇଭେଣ୍ଟସ୍) ଓମାର ରସିଦ୍ କହିଛନ୍ତିଯେ, ଦେଶର ସମସ୍ତ ପ୍ରମୁଖ ୧୫ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ଖେଳାଳୀଙ୍କୁ ଏହି ଛଅ ଦିନିଆ ପ୍ରତିଯୋଗିତାରେ ଆକ୍ସନ ମୁଡ୍ ରେ ଦେଖିବାକୁ ମିଳିବ ।
ବାଳକ ଓ ବାଳିକା ବିଭାଗ ପାଇଁ ଉଭୟ ବୟସ ବର୍ଗରେ ହେବାକୁଥିବା ପ୍ରତିଯୋଗିତାର ସିଙ୍ଗଲସ, ଡବଲସ ଓ ମିକ୍ସଡ୍ ଡବଲସ ଇଭେଣ୍ଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ସହିଦ୍ ନଗର ଇଣ୍ଡୋର ହଲର ସମସ୍ତ ନୂତନ ସିନ୍ଥେଟିକ କୋର୍ଟରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ପ୍ରତିଯୋଗିତା ଉଦୀୟମାନ ଖେଳାଳୀଙ୍କ ପାଇଁ ଅଧିକ ଏକ୍ସପୋଜର ପାଇବା ଓ ନିଜ ପ୍ରତିଭାର ପ୍ରଦର୍ଶନ କରିବାଲାଗି ଏକ ବଡ ମଞ୍ଚ ହେବ । ଶୀର୍ଷ ର୍ୟାଙ୍କ୍ ର ଖେଳାଳୀଙ୍କ ମଧ୍ୟରେ ଇଣ୍ଡୋନେସିଆର ସୁରାବାୟାରେ ଅନୁଷ୍ଠିତ ବ୍ୟାଡ଼ମିଣ୍ଟନ ଏସିଆ ଜୁନିଅର ଚାମ୍ପିୟନସିପ୍ର ୧୫ ବର୍ଷରୁ କମ୍ ସିଙ୍ଗଲସ ଚାମ୍ପିଅନ ତସ୍ମିନ୍ ମିର୍ ଓ ରନର୍ ଅପ୍ ତାରା ଶାହ ମଧ୍ୟ ସାମିଲ ଅଛନ୍ତି ।
ଏହି ପ୍ରତିଯୋଗିତାର ନଗଦ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ରହିଛି । କ୍ୱାଟର ଫାଇନାଲରେ ପହଞ୍ଚିଥିବା ଖେଳାଳୀ ପୁରସ୍କାର ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ସେହିପରି ୧୭ ବର୍ଷରୁ କମ୍ ସିଙ୍ଗଲସର ଉଭୟ ବାଳକ ଓ ବାଳିକା ବିଭାଗର ଟାଇଟଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ନଗଦ ପୁରସ୍କାର ମିଳିବ ।
ଏଥିସହିତ ଡବଲସ ଓ ମିକ୍ସଡ୍ ଡବଲସ ବିଜେତାଙ୍କୁ ୪୬,୦୦୦ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ୧୫ ବର୍ଷରୁ କମ ସିଙ୍ଗଲସର ଟାଇଟଲ ବିଜେତାଙ୍କୁ ୪୨,୦୦୦ ଟଙ୍କା ଲେଖାଏଁ ଏବଂ ଡବଲସ ଓ ମିକ୍ସଡ୍ ଡବଲସ ଟାଇଟେଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ ।
ଆୟୋଜକ ଓଡିଶା ନିଜର ୨୨ ଜଣ ଖେଳାଳୀଙ୍କ ସହ ଏହି ପ୍ରତିଯୋଗିତାରେ ଏହାର ପ୍ରଥମ ପଦକ ଜିତିବା ପାଇଁ ଆଶାବାଦୀ ରହିଛି । ଓଡିଶା ବିଶେଷକରି ଏହା ଭାରତର ନମ୍ବର ୱାନ୍ ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍ ବାଳକ) ଓ ଶ୍ୱେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍ ବାଳିକା ବିଭାଗ)ଙ୍କଠାରୁ ପଦକ ଆଶା ରଖିଛି । ଉଭୟ ଖେଳାଳୀଙ୍କୁ ଡବଲସ ଓ ମିକ୍ସଡ୍ ଡବଲସର ମୁଖ୍ୟ ଇଭେଣ୍ଟ ପାଇଁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି ।
Comments are closed.