Odisha Link
Bridging the Missing Links in Odisha

ସିଏଏ ତାତି: ଲକ୍ଷ୍ନୌରେ ୧୫୦ ଆନ୍ଦୋଳନକାରୀ ଗିରଫ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ହିଂସା। ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିକି ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ଓ ପୁଲିସ୍‌ ମୁହାଁମୁହିଁ ହେଉଛନ୍ତି। ଦିଲ୍ଲୀ ଠାରୁ ଆରମ୍ଭ କରି ମୁମ୍ବାଇ, ଲକ୍ଷ୍ନୌ ଓ ବେଙ୍ଗାଲୁରୁ ଯାଏଁ ପ୍ରତିବାଦକାରୀଙ୍କ ବିକ୍ଷୋଭ ଲାଗି ରହିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଲକ୍ଷ୍ନୌରେ ବର୍ତ୍ତମାନ ସୁଦ୍ଧା ୧୫୦ ଜଣଙ୍କୁ ପୋଲିସ ଗିରଫ କରିସାରିଛି। ଗୁରୁବାର ଉତ୍ତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଗୁଳିମାଡ କରିଥିଲା। ଯେଉଁଥିରେ ୩ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ନୌରେ ଜଣେ ଓ ମାଙ୍ଗାଲୁରୁରେ ୨ ଜଣଙ୍କ ଜୀବନ ଯାଇଛି। ଆଜି ପୁଣି ଥରେ ଦେଶର ବିଭିନ୍ନ ଯାଗାରେ ସିଏଏକୁ ବିରୋଧ କରି ପ୍ରଦର୍ଶନ ହେବାର ସମ୍ଭାବନା ରହିଛି।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ଅନେକ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଏଥିରେ ଅନେକ ନେତା ସାମିଲ ଥିବା ଜଣାପଡିଛି। ସେହିଭଳି ୩୦ଜଣ ପ୍ରତିବାଦକାରୀଙ୍କୁ ପୋଲିସ ଗିରଫ କରିଛି। ସମାଜବାଦୀ ପାର୍ଟି ସାଂସଦ ଶଫୀକୁର୍ରହମାନ ଓ ଜିଲ୍ଲା ଅଧ୍ୟକ୍ଷ ଫିରୋଜ ଖାନଙ୍କ ଉପରେ ମୋକଦ୍ଦମା ରୁଜୁ ହେବା ସହିତ ୧୭ ନାମୀଦାମୀ ଓ ୨୫୦ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାମିଆ ଅଞ୍ଚଳରେ ଆଜି ପରିସ୍ଥିତି ଆୟତ୍ତରେ ଥିବାରୁ ୧୪୪ ଧାରାକୁ ଉଠାଇ ଦିଆଯାଇଛି। ଜୁମ୍ମା ମସଜିଦରେ ନମାଜ ପାଠକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ସେହିଭଳି ଦିଲ୍ଲୀରେ ସମସ୍ତ ମେଟ୍ରୋ ଷ୍ଟେସନକୁ ଖୋଲି ଦିଆଯାଇଛି। ୫ଟି ଡ୍ରୋନ ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖିଛି ଦିଲ୍ଲୀ ପୋଲିସ। ରାଷ୍ଟ୍ରିୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ୨୧ ଡିସେମ୍ବର ଯାଏଁ ବିହାର ବନ୍ଦର ଘୋଷଣା କରିଛନ୍ତି।

Comments are closed.