Odisha Link
Bridging the Missing Links in Odisha

ଦାଦନ ରୋକିବ ଆକ୍ସନ ପ୍ଲାନ

ଭୁବନେଶ୍ୱର: ଓଡ଼ିଶାରେ ଦାଦନ ସମସ୍ୟା ଦୀର୍ଘ ବର୍ଷ ହେଲା ଏକ ବଡ଼ ସମସ୍ୟାଭାବେ ଉଭା ହୋଇଛି । ଓଡ଼ିଶାରେ କାମ ଧନ୍ଦା ନପାଇ ବହୁ ଲୋକେ ଦାଦନ ଖଟିବାକୁ ଯାଉଛି । ତେବେ ପରେ ସେଠାରେ ବହୁ ଲୋକ ନିର୍ଯାତନାର ଶିକାର ହେଉଥିବା ଖବର ମଧ୍ୟ ସାମନାକୁ ଆସିଥାଏ । ଏପରିକି ବେଳେ ବେଳେ ଦାଦନ ଶ୍ରମିକଙ୍କୁ ସେମାନଙ୍କୁ ପାରିଶ୍ରମିକ ନଦେଇ ଦଲାଲ ସେମାନଙ୍କୁ ମାଡ଼ ମଧ୍ୟ ମାରିବା ଭଳି ଘଟଣା ଘଟିବା ନଜିର ରହିଛି । ତେବେ ଦାଦନ ରୋକିବାକୁ ଶ୍ରମ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଘୋଷଣା କରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ସବୁଠୁ ଅଧିକ ଦାଦନ ପ୍ରବଣ ଜିଲ୍ଲା । ଏହି ୩ ଜିଲ୍ଲାରେ ଦାଦନ ରୋକିବାକୁ ଆରମ୍ଭ କରାଯାଇଥିବା ଯୋଜନାଗୁଡ଼ିକ ଧିମେଇ ଯାଇଛି । ଏସବୁ ଜିଲ୍ଲାରେ ଯୋଜନାର କାର୍ଯ୍ୟକାରିତା ଉପରେ ଫୋକସ କରୁଛୁ । ଦାଦନ ପିଲାମାନଙ୍କ ରହିବା ପାଇଁ ହେଷ୍ଟଲ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଶ୍ରମିକଙ୍କ ପାଇଁ ୫ଟି ରାଜ୍ୟରେ ହେଲ୍ପ ଡେସ୍କ ଖୋଲାଯାଇଛି । ଉକ୍ତ ରାଜ୍ୟଗୁଡ଼ିକ ହେଲା ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡ଼ୁ । ସେହିପରି ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ ମଧ୍ୟ ଦିଲ୍ଲୀରେ ସ୍ୱତନ୍ତ୍ର ଡେସ୍କ ଖୋଲିବ । ବୈଦେଶିକ ମନ୍ତ୍ରଣାଳୟ ସହ ସମନ୍ୱୟ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ଡେସ୍କ ଖୋଲିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

Comments are closed.