Odisha Link
Bridging the Missing Links in Odisha

ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ: ଭାରତୀୟ ଦଳରେ କିଏ ସାମିଲ ହେଲା କିଏ ବାଦ ପଡ଼ିଲା ଜାଣନ୍ତୁ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର୍ ସିରିଜ୍ ପାଇଁ ଆଜି ଅପରାହ୍ନରେ ଭାରତୀୟ ଦଳ ଘୋଷଣା କରାଯାଇଛି।ତେବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପେସ୍ ବୋଲର ଯଶପ୍ରୀତ ବୁମ୍ରା ଓ ବାମହାତୀ ଓପନର ଶିଖର ଧୱନ୍। ଅନ୍ୟପଟେ ୨୦୧୯ ବିଶ୍ୱକପ୍ ପରଠାରୁ ଲଗାତାର କ୍ରିକେଟ୍ ଖେଳିଆସୁଥିବା ରୋହିତ୍ କେବଳ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ନେଇଛନ୍ତି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଟିମରେ ସାମିଲ୍ କରାଯାଇଛି।

ଲଗାତାର କ୍ରିକେଟ୍ ଖେଳିଆସୁଥିବା ମହମ୍ମଦ ଶାମିଙ୍କୁ ମଧ୍ୟ ଏହି ଦୁଇଟି ସିରିଜରୁ ବିଶ୍ରାମ ଦିଆଯାଇଛି। ପିଠିରେ ‘ଷ୍ଟ୍ରେସ୍ ଫ୍ରାକଚର୍‌’ କାରଣରୁ ବୁମ୍ରା ଟିମରୁ ବାହାରେ ଥିଲେ। ସେହିପରି ଧୱନ୍ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ଆଣ୍ଠୁରେ ଆଘାତ ପାଇଥିଲେ। ଆଘାତ ଏତେ ଗୁରୁତର ଥିଲା ଯେ ତାଙ୍କ ଆଣ୍ଠୁରେ ୨୫ଟି ଷ୍ଟିଚ୍ ପଡ଼ିଥିଲା। ତେବେ ବର୍ତ୍ତମାନ ଉଭୟ ବୁମ୍ରା ଓ ଧୱନ୍ ପୂରା ଫିଟ୍ ହୋଇସାରିଛନ୍ତି। ଏଥିସହିତ ଜାତୀୟ ଚୟନକର୍ତ୍ତା ମୁଖ୍ୟ ଏମଏସକେ୍ ପ୍ରସାଦଙ୍କର ଏହା ଶେଷ ଚୟନକମିଟି ବୈଠକ ଥିଲା। ହେଲେ ସବୁଠୁ ବଡ଼ କଥା ହେଲା ପୂର୍ବ ସିରିଜ ଭଳି ଏହି ୨ଟି ସିରିଜରେ ମହେନ୍ଦ୍ର ସିଂ ଧୋନି ଦଳରେ ସ୍ଥାନ ପାଇନାହାନ୍ତି।

ଜାନୁଆରୀ ୫ ତାରିଖରୁ ଭାରତ ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହା ପରେ ଜାନୁଆରୀ ୧୪ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବ।
ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ: ବିରାଟ୍ କୋହଲି (ଅଧିନାୟକ), ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ମନିଷ ପାଣ୍ଡେ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ୍।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳ: ବିରାଟ୍ କୋହଲି (ଅଧିନାୟକ), ଶିଖର ଧୱନ୍‌, ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), କେଦାର ଯାଦବ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା।

Comments are closed.