Odisha Link
Bridging the Missing Links in Odisha

ନାଗରିକତା ଆଇନ: ବିକ୍ଷୋଭ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧୀ କରୁଛନ୍ତି ବିଦ୍ରୋହ। ଦିନକୁ ଦିନ ଆନ୍ଦୋଳନ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଜି ସିଏଏକୁ ନେଇ ଚାଲିଥିବା ଆନ୍ଦୋଳନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପାଇଁ ଆବେଦନ କରାଯାଇଛି। ଆଇନଜୀବୀ ଭିନୀତ ଧଣ୍ଡା ଆଜି ଏନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ସହ ଜରୁରୀ ଶୁଣାଣି ପାଇଁ ନିବେଦନ କରିଛନ୍ତି।

ସେ ତାଙ୍କ ଆବେଦନରେ କହିଛନ୍ତି ଯେ “ଦିନକୁ ଦିନ ଦେଶରେ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକମାନେ ପୋଡ଼ାଜଳା କରି ଦଙ୍ଗା ସ୍ଥିତି ସୃଷ୍ଟି କରୁଛନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦଙ୍ଗା ସୃଷ୍ଟିକାରୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ।

ସେହିପରି ମିଥ୍ୟା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ କୁହନ୍ତୁ। ନିର୍ବାଚନ କମିଶନ ସିଏଏକୁ ନେଇ ଲୋକଙ୍କୁ ଭୁଲ ତଥ୍ୟ ଦେଇ ଉସକାଉଥିବା ରାଜନୀତିକ ଦଳଗୁଡ଼ିକୁ ଚିହ୍ନଟ କରନ୍ତୁ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ତୁରନ୍ତ ରୁଲି ଦିଅନ୍ତୁ।” ତେବେ ଏ ସମ୍ପର୍କରେ କେବେ ଶୁଣାଣି ହେବ, ସେକଥା ସୁପ୍ରିମକୋର୍ଟ ରେଜିଷ୍ଟ୍ରାଙ୍କ ପକ୍ଷରୁ କୁହାଯାଇ ନାହିଁ।

Comments are closed.