Odisha Link
Bridging the Missing Links in Odisha

କିନ୍ନରଙ୍କ ପାଇଁ ଓମଫେଡ ପାର୍ଲର

ଗଜପତି: ଆଉ ରାସ୍ତାକଡରେ ଠିଆ ହୋଇ କାହାକୁ ହାତ ପତେଇବେ ନାହିଁ କି କାହା ଅଟ୍ଟହାସ୍ୟର ଶିକାର ହେବେ ନାହିଁ କିନ୍ନର। ରାସ୍ତାଘାଟରେ ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥିବା କିନ୍ନରଙ୍କ ପାଇଁ ଏବେ ଗଜପତି ଜିଲ୍ଲାରେ ଖୋଲିଛି ଓମଫେଡ ପାର୍ଲର। ଭିକ୍ଷା ବୃତ୍ତି ନକରି କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଆଗକୁ ଆସିଛନ୍ତି ଗଜପତି ଜିଲ୍ଲାର ଏସପି ସାରା ଶର୍ମା । ଆଗରୁ ଅନେକ ଲୋକାଭିମୁଖୀ ଯୋଜନା କରି ଚର୍ଚ୍ଚାକୁ ଆସିଥିବା ଲେଡି ପୁଲିସ ଅଫିସର ଏଥର କିନ୍ନରଙ୍କ ପାଇଁ ସୁରଭି ଓମଫେଡ୍ ପାର୍ଲର କରିଛନ୍ତି। ଏହି ଓମଫେଡ ପାର୍ଲରରେ କ୍ଷୀର ଦହି ବିକ୍ରୀ କିନ୍ନରମାନେ ନିଜ ପେଟ ପୋଷିବେ।

ଏହି ଦୋକାନକୁ ଆଗକୁ ନେବା ପାଇଁ ବିଧାୟକଙ୍କ ପାଣ୍ଠିରୁ ୩ ଲକ୍ଷ ଓ ସାଂସଦଙ୍କ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଯାହା ଓମଫେଡ୍ ପାର୍ଲରର ବିକାଶରେ ବିନିଯୋଗ ହେବ। ଏବେ ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବେ ତୃତୀୟ ଲିଙ୍ଗୀ । କିନ୍ନରଙ୍କ ସମସ୍ୟା ବୁଝି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ପାଇଁ ଆଗକୁ ଆସିଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ସୁରଭି ଓମଫେଡ ପାରଲର୍ ଯୋଗାଇ ଦେଇଛନ୍ତି ଗଜପତି ଏସପି। ଏଠାରେ ୮ ଜଣ କିନ୍ନର କାମ କରୁଛନ୍ତି । ସେମାନେ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ କ୍ଷୀର, ଦହି ଓ ଓମଫେଡ୍ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଓ ଗରମ ପାଣି ଯୋଗାଇ ଦେବେ।

Comments are closed.