Odisha Link
Bridging the Missing Links in Odisha

ବଲାଙ୍ଗୀର: ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କଲେ ରାଜ୍ୟପାଳ ଗଣେଶୀ ଲାଲ

ବଲାଙ୍ଗୀର: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରିଛନ୍ତି। ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବାପରେ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଭିଡିଓ କନ୍‌ଫରେନସିଂ ଜରିଆରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଉଦ୍‌ବୋଧନ ଦେଇ କହିଥିଲେ,‘ ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରି ମୁଁ ବହୁତ ଖୁସି।’ ଦେଶର ବିକାଶରେ ନାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହ ଭାରତୀୟ ସଂସ୍କୃତିରେ ନାରୀକୁ ପୂଜା କରିବାର ପରମ୍ପରା ରହିଛି ବୋଲି  ସେ କହିଥିଲେ। ଉଜ୍ବଳା ଯୋଜନା ମହିଳାଙ୍କୁ ଶକ୍ତି ଓ ସ୍ବାଭିମାନ ଦେଇଛି ବୋଲି ବି କହିଥିଲେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସାଂସଦ ସଙ୍ଗୀତା ସିଂହଦେଓ ପ୍ରମୁଖ ଉପସ୍ଥିତ ଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ତାଙ୍କ ପ୍ରତିନିଧି ଅରୁଣ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।  ଏହି ପ୍ଲାଣ୍ଟଦ୍ବାରା ପଶ୍ଚିମ ଓଡ଼ିଶାବାସୀଙ୍କୁ ଅନେକ ସହାୟତା ଯୋଗାଇବ। ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲା ସମେତ ପାଖାପାଖି ଅଞ୍ଚଳରେ ମଧ୍ୟ ଲୋକ ଏହାର ସୁବିଧା ପାଇପାରିବେ। ଏହି ପ୍ଲାଣ୍ଟର ବାର୍ଷିକ ୪୨ ଲକ୍ଷ ଏଲ୍‌ପିଜି ବଟଲିଂ କରିବାର କ୍ଷମତା ରହିଛି।

ସୂଚନାଯୋଗ୍ୟ, ଓଡ଼ିଶାର ୧୪ଟି ଜିଲ୍ଲାରେ ଏଲପିଜିର ବଢୁଥିବା ଚାହିଦା ପୂରଣ କରିବାକୁ ପ୍ଲାଣ୍ଟ ପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୮ ମସିହା ମଇ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ଅବଧି ୨୪ ମାସ ଥିଲେ ହେଁ ରେକର୍ଡ ସମୟରେ ୧୯ ମାସ ଭିତରେ କାମ ସରି ଏହାର ଉଦଘାଟନ ହୋଇଛି।

Comments are closed.