Odisha Link
Bridging the Missing Links in Odisha

ଦ୍ବିତୀୟ ବର୍ଷରେ ପାଦ ଦେଲା ଓଡ଼ିଶା ଲିଙ୍କ୍‌

ଭୁବନେଶ୍ବର: ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଓଡ଼ିଆ ଖବର ପୋର୍ଟାଲ୍‌ ଓଡ଼ିଶା ଲିଙ୍କ୍ ଆଜି ଦ୍ବିତୀୟ ବର୍ଷରେ ପଦାର୍ପଣ କରିଛି। ୨୦୧୮ ଡିସେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିବା www.odishalink.com ମାତ୍ର ଗୋଟିଏ ବର୍ଷର ଅବଧିରେ ରାଜ୍ୟର ଖବର ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ଜାହିର କରିପାରିଛି।

ଓଡ଼ିଆ ମିଡିଆ ପୂର୍ବରୁ ଓଡ଼ିଶା ଷ୍ଟୋରୀ ନାମରେ ଏକ ଇଂରାଜୀ ଖବର ପୋର୍ଟାଲ ପରିଚାଳନା କରୁଥିବା ବେଳେ ଓଡ଼ିଆ ଖବର ପ୍ରତି ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ଆଗ୍ରହ ଦେଖି ଗତବର୍ଷ ଓଡ଼ିଆ ଭାଷାର ପୋର୍ଟାଲଟିଏ ଆରମ୍ଭ କରିଥିଲା। ଆରମ୍ଭ ଦିନରୁ ନିଜର ଖବର ପରିବେଷଣ ଶୈଳୀ, ନିରପେକ୍ଷତା ଓ ଅନୁସଂଧାନମୂଳକ ସୂଚନା ପ୍ରଦାନ ଲାଗି ଚର୍ଚ୍ଚାରେ ରହି ଆସିଛି ଓଡ଼ିଶା ଲିଙ୍କ୍। ବିଶେଷ କରି ୨୦୧୯ ସାଧାରଣ ନିର୍ବାଚନ ସମୟରେ ଏହାର ମାନାଙ୍କ (ର‍୍ୟାଙ୍କିଙ୍ଗ୍) ବେଶ୍‌ ବୃଦ୍ଧି ପାଇଥିଲା। ନିର୍ବାଚନ ପୂର୍ବରୁ ଓଡ଼ିଶା ଲିଙ୍କ୍‌ ଏକ କୋଟି ଓ୍ବେବ୍‌ସାଇଟ୍‌ ତଳେ ଥିବା ବେଳେ ନିର୍ବାଚନ ପରେ ପରେ ୨୦୧୯ ମେ’ ମାସ ସୁଦ୍ଧା ଏହା ୫୫ ଲକ୍ଷକୁ ବୃଦ୍ଧି ପାଇଥିଲା।

ବର୍ତ୍ତମାନ ଏହି ଓ୍ବେବ୍‌ସାଇଟ୍ ମାସକୁ ୫ରୁ ୬ ଲକ୍ଷ ହିଟ୍‌ (କ୍ଲିକ୍) ପାଉଥିବା ବେଳେ ଏହାର ଆଲେକ୍ସା ର‍୍ୟାଙ୍କିଙ୍ଗ୍‌ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ୨୦୧୯ ଅକ୍ଟୋବର ମାସ ଶେଷ ସୁଦ୍ଧା ଏହାର ଗ୍ଲୋବାଲ୍‌ ଓ୍ବେବ୍‌ ର‍୍ୟାଙ୍କ୍‌ ୨୮ ଲକ୍ଷ ଥିବା ବେଳେ ନଭେମ୍ବରରେ ଏହା ୨୩ ଲକ୍ଷକୁ ଉଠିଥିଲା। ଚଳିତ ମାସରେ ଏହା ଆଶତୀତ ଭାବେ ବୃଦ୍ଧି ପାଇଛି। ଚଳିତ ମାସରେ ଏହାର ର‍୍ୟାଙ୍କ୍‌ ୧୬ ଲକ୍ଷ ରହିଛି।

ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା ଓଡ଼ିଶା ଲିଙ୍କ୍‌ର ସଂପାଦକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ, ଓଡ଼ିଆ ମିଡିଆ ଗୋଟିଏ ଷ୍ଟାର୍ଟଅପ୍‌ କମ୍ପାନୀ। ପ୍ରତି ମୁହୂର୍ତ୍ତରେ ଆମେ ଆର୍ଥିକ ସମସ୍ୟା ସହ ଲଢ଼େଇ କରୁଛୁ। ତେବେ ତାହା ଖବର ପ୍ରସାରଣରେ କେବେ ଅନ୍ତରାୟ ହୋଇନାହିଁ। ଓଡ଼ିଶା ଲିଙ୍କ୍‌ ମାତ୍ର ଗୋଟିଏ ବର୍ଷ ଭିତରେ ଯେଉଁ ସଫଳତା ପାଇଛି, ତାହାର ସମସ୍ତ ଶ୍ରେୟ ମୋର ସହଯୋଗୀମାନଙ୍କୁ ଯାଉଛି। ଓଡ଼ିଶା ଲିଙ୍କ୍‌ ପାଇଁ କାମ କରୁଥିବା ୫ ଜଣିଆ ସାମ୍ବାଦିକ ଗୋଷ୍ଠୀ କେବେ ବି ନିଜକୁ କର୍ମଚାରୀ ବୋଲି ମନେ କରିନାହାନ୍ତି। ବରଂ ଏହାକୁ ନିଜ ପରିବାର ବୋଲି ବିଚାର କରି କାର୍ଯ୍ୟ କରି ଚାଲିଛନ୍ତି ଓ କମ୍ପାନୀର ସୁଖଦୁଃଖରେ ଭାଗିଦାର ହୋଇଛନ୍ତି।

ସହଯୋଗୀ ସାମ୍ବାଦିକଙ୍କର ନିଷ୍ଠା, ଆଗ୍ରହ ଓ କର୍ମତତ୍ପରତା ବିନା ଓଡ଼ିଶା ଲିଙ୍କ୍‌ ସଫଳତାର ଶିଡ଼ିରେ ଉପରକୁ ଉଠିବା ସମ୍ଭବ ହୋଇ ନଥାନ୍ତା ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଭବିଷ୍ୟତରେ ଆଞ୍ଚଳିକ ସମ୍ବାଦ ସଂଖ୍ୟା ବୃଦ୍ଧି ପାଇଁ ଓଡ଼ିଶା ଲିଙ୍କ୍‌ ଜିଲ୍ଲା ସ୍ତରରେ ସାମ୍ବାଦିକ ନିଯୁକ୍ତ କରିବ ବୋଲି ସେ ସୂଚନା ଦେଇଛନ୍ତି।

କେବଳ ଖବର ନୁହେଁ, ବିଭିନ୍ନ ସମୟରେ ବିଶିଷ୍ଟ ଲେଖକ ଓ ସାମ୍ବାଦିକମାନଙ୍କର ଅଭିମତ/ସ୍ତମ୍ଭ ପ୍ରକାଶନ ସମେତ ସାହିତ୍ୟ ଓ ସଂସ୍କୃତି ପାଇଁ ଓଡ଼ିଶା ଲିଙ୍କ୍‌ରେ ସ୍ବତନ୍ତ୍ର ବିଭାଗ ରହିଛି। ଧର୍ମ, ବ୍ୟକ୍ତିତ୍ବ, ଶିକ୍ଷା, ଅପରାଧ, ଯୋଜନା ଓ ବିକାଶ, କ୍ରୀଡ଼ା ଓ ରାଜନୀତି ଭଳି ଭିନ୍ନ ଭିନ୍ନ ବିଭାଗରେ ତତ୍‌ସମ୍ପର୍କିତ ଖବର ପରିବେଷଣ କରାଯାଉଛି। ଏହା ସହ ଓଡ଼ିଶା ଲିଙ୍କ୍‌ର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ରହିଛି, ଯେଉଁଠି ଆବଶ୍ୟକ ସ୍ଥଳେ ପ୍ରକାଶିତ ଖବର ସମ୍ପର୍କିତ ଭିଡିଓ ଦିଆଯାଉଛି।

କେବଳ ଖବର ପରିବେଷଣ ନୁହେଁ, ଦୁଇଟି ନ୍ୟୁଜ୍‌ ପୋର୍ଟାଲ ସମେତ ଓଡ଼ିଆ ମିଡିଆ ‘ପେନ୍‌ ଇନ୍‌ ବୁକ୍ସ’ ନାମରେ ଏକ ପ୍ରକାଶନ ସଂସ୍ଥା ମଧ୍ୟ ପରିଚାଳନା କରିଥାଏ। ଏହା ଭିନ୍ନ ଅନୁଷ୍ଠାନ ପକ୍ଷରୁ କୋରାପୁଟ ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଭାଷା ଉତ୍ସବ, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍‌ ଭଳି ବର୍ଷ ବ୍ୟାପୀ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ମାନ ମଧ୍ୟ ଆୟୋଜନ କରାଯାଇଥାଏ।

Comments are closed.