Odisha Link
Bridging the Missing Links in Odisha

ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନୀ ମେହେଟାଙ୍କ ଦେହାନ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ (ଭଉଣୀ ଗୀତାଙ୍କର ସ୍ବାମୀ) ସନ୍ନୀ ମେହେଟାଙ୍କର ପରଲୋକ ହୋଇଯାଇଛି। ବିଶ୍ବର ଜଣେ ପ୍ରସିଦ୍ଧ ପ୍ରକାଶକ ଓ ସଂପାଦକ ଭାବେ ଜଣାଶୁଣା ସନ୍ନୀ ଆଲଫ୍ରେଡ୍‌ ଏ ନଫ୍‌ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ଲେଖିକା ଗୀତାଙ୍କୁ ବିବାହ କରିଥିଲେ ସନ୍ନୀ। ଆମେରିକାର ନ୍ୟୁୟର୍କ ନିବାସୀ ସନ୍ନୀଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୧୯୪୨ରେ ଜନ୍ମିତ ସନ୍ନୀ ତତ୍‌କାଳୀନ ଭାରତୀୟ ରାଷ୍ଟ୍ରଦୂତ ଅମିର ସିଂହ ମେହେଟାଙ୍କ ପୁତ୍ର। ଶୈଶବରେ ବିଶ୍ବର ବିଭିନ୍ନ ଦେଶ ଓ ସହରରେ ଜୀବନ ଅତିବାହିତ କରିଥିବା ସନ୍ନୀ ଭାରତର ସନଓ୍ବାର ସ୍କୁଲ ଓ ଲଣ୍ଡନର ସେଭେନ୍‌ଓକ୍ସ ସ୍କୁଲରେ ପାଠ ପଢ଼ିଥିଲେ। ପରେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଇତିହାସ ଓ ଇଂରାଜୀରେ ଶିକ୍ଷା ସମାପ୍ତ କରି ପ୍ରସିଦ୍ଧ ପତ୍ରିକା ଗ୍ରାନ୍ତାର ସଂପାଦନା କରିଥିଲେ।

୧୯୬୫ରେ ଲଣ୍ଡନର ହର୍ଟ-ଡାଭିସ୍‌ରୁ ନିଜର ପ୍ରକାଶନ ବୃତ୍ତି ଆରମ୍ଭ କରିଥିଲେ ସନ୍ନୀ। ୧୯୬୬ରେ ସେ ପାଲାଦିନ୍‌ ନାମରେ ପ୍ରକାଶନ ସଂସ୍ଥାର ସହ ସଂସ୍ଥାପକ ପାଲଟିଲେ। ଦୁଇ ଦଶନ୍ଧିରୁ ଅଧିକା କାଳ ୟୁରୋପରେ ପ୍ରକାଶନ ଓ ସଂପାଦନା ଶିଳ୍ପରେ କାମ କରିବା ପରେ ୧୯୮୭ରେ ସେ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ଆଲଫ୍ରେଡ୍‌ ଏ ନଫ୍‌ର ମୁଖ୍ୟ ସଂପାଦକ ଭାବେ ଯୋଗ ଦେଲେ।

ଓଡ଼ିଶାର ଜାମାତା ଭାବରେ ସେ ଏକାଧିକ ବାର ଆସିଛନ୍ତି। ତାଙ୍କ ପତ୍ନୀ ତଥା ନବୀନଙ୍କ ଭଉଣୀ ଗୀତା ମେହେଟା ମଧ୍ୟ ଜଣେ ପ୍ରସିଦ୍ଧ ଲେଖିକା।

Comments are closed.