Odisha Link
Bridging the Missing Links in Odisha

ଜନନାୟକଙ୍କୁ ମନେ ପକାଉଛି ଓଡ଼ିଶା, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଚକ୍ଷଣ ରାଜନୀତିଜ୍ଞ, ନିଷ୍ଠାପର ସାରସତ୍ବ ସାଧକ, ପ୍ରବୀଣ ସାମ୍ବାଦିକ ଓ ଦକ୍ଷ ଅନୁବାଦକ ଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଆଜି ହେଉଛି ଏହି ମହାନ ଜନନାୟକଙ୍କ ୯୩ତମ ଜନ୍ମ ଜୟନ୍ତୀ। ଏକ ବଳିଷ୍ଠ ବ୍ୟକ୍ତିତ୍ୱର ପୂର୍ଣ୍ଣ ଅଧିକାରୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ପୂର୍ବତନ ରାଜ୍ୟପାଳ ଥିଲେ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ। ଏହି ନାଁ ଟି ଓଡ଼ିଶାର ତଥା ଦେଶର ମାଟି, ପାଣି, ପବନରେ ନିନାନ୍ଦିତ ହୁଏ। ଓଠରେ ନାଁଟି ଉଚ୍ଚାରିତ ହେଉ ହେଉ ଏକ ସୁଦୀର୍ଘ ଓ ଦାମ୍ଭିକ ଚେହେରା ଝଲସି ଉଠେ ଆଖି ସାମ୍ନାରେ।

୧୯୨୭ ମସିହ ଜାନୁଆରି ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ବର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ପଟ୍ଟନାୟକ। ସେ ତିନି ତିନି ଥର ଓଡିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ସେ କୃଷିପ୍ରଧାନ ଓଡିଶା ପାଇଁ ପ୍ରଥମ କୃଷି ନୀତି ପ୍ରଣୟନ କରିଥିଲେ। ଓଡ଼ିଶା ଯଦି ଆଜି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ କିଛି ସଫଳତା ହାସଲ କରିଛି ,ତାହା ସମ୍ଭବ ହୋଇଛି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଯୋଗୁଁ।

୧୯୭୧ରେ ପ୍ରଥମଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ। ୧୯୭୩ରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଜଣେ-ଉପମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ୧୯୮୦ରେ ହୋଇଥିଲେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏହାପରେ ୧୯୮୫ ଓ ୧୯୯୫ ମସିହାରେ ସେ ପୁଣି ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଆସାମ ରାଜ୍ୟପାଳ ଭାବେ ଜାନକୀ ବଲ୍ଲଭ ଓଡ଼ିଶା ଓ ଆସାମ ମଧ୍ୟରେ ନିବିଡ ସାଂସ୍କୃତିକ-ସାମାଜିକ ସଂପର୍କର ପୁନଃଆବିଷ୍କାର କରିଥିଲେ। ସରକାରରେ ଥାଆନ୍ତୁ କି ବିରୋଧୀ ଦଳରେ ,ରାଜନୀତି ହେଉ କି ସାମ୍ବାଦିକତା। ସାହିତ୍ୟରେ ଓଡିଶାର ସର୍ବାଙ୍ଗୀନ ବିକାଶ ଥିଲା ତାଙ୍କର ସ୍ୱପ୍ନ।

ଏଥିସହିତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଜୟନ୍ତୀକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିନରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ ଟୁଇଟ କରି ଲେଖିଛନ୍ତି ଯେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ରାଜ୍ୟର ପ୍ରଗତି ସହ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ।

Comments are closed.