Odisha Link
Bridging the Missing Links in Odisha

ରକ୍ଷକ ସାଜିଛି ଭକ୍ଷକ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାରେ ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ରକ୍ଷକମାନେ ଏଠି ଭକ୍ଷକ ସାଜିଛନ୍ତି। ଏଭଳି କହିଛନ୍ତି ବିଜେପି ନେତା ସମୀର ମହାନ୍ତି। ପିପିଲି ବଳଙ୍ଗା ଥାନା ଏଏଆଇଙ୍କ ନାଁରେ ଦୁଷ୍କର୍ମ ଅଭଯୋଗ ପ୍ରସଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଏଭଳି କହିଛନ୍ତି। ଖାଲି ସେତିକି ନୁହେଁ ୫-ଟି, ମୋ ସରକାର ଓ ଆମ ପୁଲିସ କୁଆଡେ଼ ଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସେପଟେ ପିପିଲି ବଳଙ୍ଗା ଥାନା ଏଏଆଇଙ୍କ ନାଁରେ ଦୁଷ୍କର୍ମ ଅଭଯୋଗ ସମ୍ପର୍କିତ ମାମଲାରୁ ରଫାଦଫା କରିବାକୁ ବିଜେଡି ନେତା ଅହରହ ଉଦ୍ୟମ କରିଥିଲେ। ନିମାପଡ଼ା ନେତାଙ୍କ ଏକଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଗତ ଗୁରୁବାର ବଳଙ୍ଗା ଥାନାର ଜଣେ ଏଏସଆଇଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ। ମହିଳା ଜଣକ ଥାନାକୁ ଯାଇଥିବା ବେଳେ ଏଏସଆଇ ତାଙ୍କୁ ଘରକୁ ଡ଼ାକି ନେଇ ଦୁଷ୍କର୍ମ କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଏହା ପରେ ପିପିଲି ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ କରୁଛି। ପୀଡିତା ମହିଳାଙ୍କ ସ୍ୱାମୀ ଗତ ୬ ମାସ ତଳେ ଏକ ଅଟୋ କିଣିଥିଲେ। ଏହି ଅଟୋକୁ ତାଙ୍କ ଶ୍ୱଶୁର ଘର ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଯାହା ଫଳରେ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଥିଲେ। ଏହାପରେ ବଳଙ୍ଗା ଥାନା ଏଏସଆଇ ମହିଳା ଜଣଙ୍କୁ ଥାନାକୁ ଫୋନ କରି ଡାକିଥିଲେ। ମହିଳାଙ୍କୁ ଏଏସଆଇ କହିଥିଲେ ଯେ, ତୁମ ଶ୍ୱଶୁର ଥାନାକୁ ଆସିବେ ତୁମେ ଆସି ଥାନାରେ ପହଞ୍ଚ। ଏହାପରେ ମହିଳା ଜଣକ ଥାନାରେ ପହଂଚିଥିଲେ । ବହୁ ସମୟ ଅପେକ୍ଷା କରିବା ସତ୍ଵେ ଶ୍ୱଶୁର ଆସିନଥିଲେ । ଏହାପରେ କାଗଜପତ୍ର ଦେଖିବା ବାହାନାରେ ସମ୍ପୃକ୍ତ ଏଏସଆଇ ଶ୍ରୀ ଦାସ ନିଜ ବାସଭବନଙ୍କୁ ମହିଳାଙ୍କୁ ଡାକି ନେଇଥିଲେ। ସେଠାରେ ମହିଳାଙ୍କ ଧର୍ଷଣ କରିଥିଲେ। କେବଳ ସେତିକି ନୁହେଁ ଏହି ଘଟଣା ସମ୍ପର୍କରେ ବାହାରେ ପ୍ରଘଟ କଲେ ସେ ମିଛ କେସ୍ ଲଗାଇ ଜେଲ ପଠାଇ ଦେବେ ବୋଲି ଧମକ ଦେଇଥିଲେ। ତେବେ ଏତିକିରେ ଏଏସଆଇଙ୍କ ମନ ଭରି ନଥିଲା। ଏହାପରେ ବାରମ୍ବାର ପୀଡିତାଙ୍କୁ ବିଳମ୍ଵିତ ରାତ୍ରୀରେ ଫୋନ କରି ଅଶ୍ଳୀଳ କଥା କହିବା ସହ ଘରକୁ ଡାକୁଥିଲେ। ଅନ୍ୟପକ୍ଷରେ ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇଙ୍କୁ ଅଟକ ରଖାଯାଇଛି। ଏଏସଆଇଙ୍କୁ ଅଟକ ରଖି ପିପିଲି ପୁଲିସ ପଚରାଉଚରା ଜାରି ରଖିଛି।

Comments are closed.