Odisha Link
Bridging the Missing Links in Odisha

ସ୍କାନରରେ ସକିଲର ତୃତୀୟ ଗାର୍ଲଫ୍ରେଣ୍ଡ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲର ପୂରା ପରିବାର ଏବେ ଜେଲରେ । ସକିଲ ନିଜେ ଜେଲରେ ଥାଇ ବି ତା’ ପରିବାର ଲୋକଙ୍କ ମାର୍ଫତରେ ଅପରାଧ ସାମ୍ରାଜ୍ୟ ପରିଚାଳନା କରିଚାଲିଥିବାବେଳେ ପୁଲିସ ଛାନଭିନ ଚଳାଇ ଜଣକ ପରେ ଜଣେ ତାର ସହଯୋଗୀଙ୍କୁ ବାନ୍ଧିବାରେ ଲାଗିଛି । ପୂର୍ବରୁ ସକିଲର ବାପା, ଭାଇ ଓ ପ୍ରେମିକାଙ୍କୁ ପୁଲିସ ଗିରଫ କରିଥିବାବେଳେ ଶୁକ୍ରବାର ସକିଲର ଦ୍ୱିତୀୟ ଗାର୍ଲଫ୍ରେଣ୍ଡ ତଥା ଭାବୀ ପତ୍ନୀ କୁହାଯାଉଥିବା ରେଶମା ଓରଫ ନସିମ ଓରଫ ନିଖାତ ନସିମକୁ ଗିରଫ କରିଥିଲା ।

ତେବେ ବର୍ତ୍ତମାନ ସକିଲର ତୃତୀୟ ଗାର୍ଲଫ୍ରେଣ୍ଡଙ୍କୁ ଖୋଜୁଛି କମିଶନରେଟ ପୁଲିସ । ଏନେଇ କଟକ ଡିସିପି ଅଖିଳେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ସକିଲର ତୃତୀୟ ଗାର୍ଲଫ୍ରେଣ୍ଡ ଅଛି । ତାକୁ ଖୋଜା ଚାଲିଛି । ଗିରଫ ୨ ଗାର୍ଲଫ୍ରେଣ୍ଡ ସକିଲର ନେଟୱାର୍କ ପରିଚାଳନା କରୁଥିଲେ । ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ଚିଠି କରାଯାଇଛି । ଜେଲରେ ସକିଲର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଚିଠି କରାଯାଇଛି । ଜେଲର ଅନ୍ୟ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ବିଷୟରେ ମଧ୍ୟ ଲେଖିଛୁ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

Comments are closed.