Odisha Link
Bridging the Missing Links in Odisha

ଜେଏନ୍‌ୟୁ ହିଂସା ବିରୋଧରେ ବାହାରିଲେ ବିଭିନ୍ନ ଛାତ୍ର ସମାଜ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସା ସାରା ଦେଶରେ ଚହଳ ପକାଇ ଦେଇଛି। ଗତକାଲିମୁଖା ପିନ୍ଧା ଦୁର୍ବୃତ୍ତ ଜେଏନୟୁରେ ଘଟାଇଥିଲେ ଆତଙ୍କରାଜ। କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଯେପରି ଭାବେ ଲାଠି, ରଡ୍‌, ଏସିଡ୍‌ ଠାରୁ ଆରମ୍ଭ କରି ଆହୁରି ବହୁ ପ୍ରକାରର ମାରଣାସ୍ତ୍ର ଧରି ପ୍ରବେଶ କରିବା ସହ ଗୁଣ୍ଡାରାଜ ଚଳାଇଲେ ତାକୁ କେନ୍ଦ୍ରକରି ଆଜି ତମାମ୍‌ ଦେଶରେ ଛାତ୍ର ଅଶାନ୍ତି ତୀବ୍ର ହୋଇଛି। ଏହି ଦୁର୍ବୃତ୍ତମାନଙ୍କ ଅତର୍କିତ ଆକ୍ରମଣରେ କ୍ୟାମ୍ପସରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ତେବେ, ଜେଏନ୍‌ୟୁ କ୍ୟାମ୍ପସ ମଧ୍ୟରେ ହୋଇଥିବା ଏହି ଗୁଣ୍ଡାରାଜରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପିର) କର୍ମକର୍ତ୍ତାମାନେ ସଂପୃକ୍ତ ଥିବା ନେଇ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ସିଧାସଳଖ ଅଭିଯୋଗ କରିବା ପରେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି।

ଅନ୍ୟପଟେ ଏବଭିପି ଅଭିଯୋଗ କରିଛି ଯେ, ଏସଏଫଆଇ, ଆଇସା, ଡିଏସଏଫ ସଙ୍ଗଠନର ଛାତ୍ର ମାନେ ଏବିଭିପି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଉଭୟ ଛାତ୍ର ସଙ୍ଗଠନ ମଧ୍ୟରେ ହୋଇଥିବା ଆକ୍ରମଣରେ ଏଯାଏଁ ୧୮ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ବେଳେ ୧୧ ଜଣ ଛାତ୍ରଙ୍କର କୌଣସି ଖୋଜଖବର ମିଳୁନାହିଁ।

ଜେଏନ୍‌ୟୁ କ୍ୟାମ୍ପସ ମଧ୍ୟରେ ହୋଇଥିବା ଗୁଣ୍ଡାରାଜକୁ ବିରୋଧକରି ଆଜି ଦେଶର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ଘଟଣାର ନିନ୍ଦା କରିବା ସହ ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ ଜଣାଇବାକୁ ଯାଇ ଆନ୍ଦୋଳନ ପ୍ରଦର୍ଶନ କରିବାକୁ ସୁଦ୍ଧା କୁଣ୍ଠିତ ହୋଇ ନାହାନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ, ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ, ଆଲ୍ଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଘଟଣାର ବିରୋଧ ପ୍ରଦର୍ଶନ କରିବା ସହ ଜେଏନ୍‌ୟୁ ଛାତ୍ରଛାତ୍ରୀମାନ ପ୍ରତି ସେମାନଙ୍କର ସମର୍ଥନ ଜଣାଇଛନ୍ତି। ଖାଲି ଦେଶ ଭିତରେ ନୁହେଁ ଅକ୍ସଫୋର୍ଡ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଘଟଣାର ନିନ୍ଦା କରି ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ ଜଣାଇଛନ୍ତି।

Comments are closed.