ଭୁବନେଶ୍ବରେ ବିଶିଷ୍ଟ ବ୍ୟଙ୍ଗକବି ବାଇଡଙ୍କ ଦାସଙ୍କ ଶୋକସଭା

ଭୁବନେଶ୍ବର: ବିଶିଷ୍ଟ ବ୍ୟଙ୍ଗକବି ବାଇଡଙ୍କ ଦାସ ଡିସେମ୍ବର ମାସ ୩୦ ତାରିଖରେ ଇହଧାମ ତ୍ୟାଗ କରିଛନ୍ତି। ଏଥିପାଇଁ ଜାନୁଆରୀ ୫ ତାରିଖ ଦିନ ତାଙ୍କରି ସ୍ମୃତିରେ ଭୁବନେଶ୍ବର ସ୍ଥିତ ପେସ୍ ଏକାଡେମୀ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବାଇଡଙ୍କ ଦାସଙ୍କୁ ଭଲ ପାଉଥିବା ଅନେକ ସାହିତ୍ୟିକ, ଲେଖକ, କବି ଆଦି ଯୋଗ ଦେଇଥିଲେ। ଏଥିରେ ସମସ୍ତେ ବାଇଡଙ୍କ ଦାସଙ୍କ ପ୍ରତିଭା ବିଷୟରେ ବଖାଣିଥଲେ। ଏହି ସ୍ମୃତିସଭାରେ ବ୍ୟଙ୍ଗ କବି ଗିରୀଶ ରଞ୍ଜନ, ଡ. କୁଳଙ୍ଗାର, ହାଡ଼ିବନ୍ଧୁ ମହାଖୁଡ଼, ଡ. ବୌରାଗୀ ପଟ୍ଟନାୟକ, ଆର୍ତ୍ତାତ୍ରାଣ ମିଶ୍ର, ବାଳକୃଷ୍ଣ ନାୟକ, ପେମ୍ ଚାନ୍ଦ୍, ସୁଶାନ୍ତ ସାହୁ, ଶ୍ରୀଯୁକ୍ତ ସତ୍ୟାନାଶ, ରବିନ୍ଦ୍ର ରାଉତ, ଶାରଦା ମହାପାତ୍ର, ପ୍ରସନ୍ନ, ଅନନ୍ତ ଜେନା, ନରେନ୍ଦ୍ର ସ୍ବାଇଁ, ଶ୍ରୀ ହୁଗୁଳା, ଶ୍ରୀ ସର୍ବଗିଳା, ବିରେନ ସାହୁ, ଲିପକ୍ ଚୌଧରୀଙ୍କ ସହ ୫୦ ରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟଙ୍ଗକାର ଗିରୀଶ ରଞ୍ଜନ ବାଇଡଙ୍କ ଦାସଙ୍କ ସ୍ମୃତିରେ ଦୀପ ଦାନକରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେ ପରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବାଇଡଙ୍କ ଦାସଙ୍କ ସ୍ମୃତି ଚାରଣ କରିଥିଲେ। ବାଇଡଙ୍କ ଦାସ ଆମ ସମ୍ତଙ୍କ ହୃଦୟରେ ଅଛନ୍ତି ଏବଂ ସେ ଅମର ହୋଇ ରହିବେ ବୋଲି ଡ. ବୌରାଗୀ ଚରଣ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।
ଯୁବ ବ୍ୟଙ୍ଗକାର ରିରୀଶ ରଞ୍ଜନ କହିଥିଲେ, ବାଇଡଙ୍କ ଦାସଙ୍କ ବିୟୋଗ ଓଡ଼ିଆ ଭାଷା, ବ୍ୟଙ୍ଗ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପାଇଁ ଏକ ଅପୂରଣୀୟ କ୍ଷତି। ଦଶପଲ୍ଲାରେ ତାଙ୍କ ସହ ବିତିଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ସେ ଭାବ ଛଳଛଳ ହୋଇ ବଖାଣିଥିଲେ। ଡ. କୁଳାଙ୍ଗାର କହିଥିଲେ ଯେ ବାଇଡଙ୍କ ଦାସ ଜଣେ ବନ୍ଧୁପ୍ରେମୀ, ପରୋପକାରୀ। ଏହି କାର୍ଯ୍ୟକ୍ରମଟି ଅଧିକାର ଫାଉଣ୍ଡେସନ ଓ ଓଡିଶା ହାସ୍ୟ-ବ୍ୟଙ୍ଗ ବିକାଶ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା।