Odisha Link
Bridging the Missing Links in Odisha

ସ୍କୁଲସ୍ତରରୁ ପିଲାଙ୍କୁ ଜାତୀୟସ୍ତରୀୟ ଯୋଗ୍ୟ କରାଅ : ରମେଶ ପୋଖରିଆଲ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ସୋଆ ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ବର ଆଇଆଇଟି, ରାଉରକେଲା ଏନ୍‌ଆଇଟି, ଭୁବନେଶ୍ବର ନାଇଜର, କେଭିଏସ୍‌, ଏନ୍‌ଭିଏସ୍‌ର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଆଲୋଚନା ସମୟରେ ଓଡ଼ିଶାରେ ଥିବା ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି, ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ମନ୍ତ୍ରୀ କହିଲେ, କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଆଇଆଇଆଇଟି, ଏନ୍‌ଆଇଟି, ନାଇଜର ପରି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ଯୋଗ୍ୟ କରାଅ। ସ୍କୁଲସ୍ତରରୁ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଶିକ୍ଷକମାନେ ଗୁରୁତ୍ବ ଦିଅନ୍ତୁ ଏବଂ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଉ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ(କେଭିଏସ୍‌) ଓ ନବୋଦୟ ବିଦ୍ୟାଳୟ ସଙ୍ଗଠନ(ଏନ୍‌ଭିଏସ୍‌)ର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଆଲୋଚନା ସମୟରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିବା ସହ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଥିବା ଆଇଆଇଟି, ଏନ୍‌ଆଇଟିକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ଆଇଆଇଟି ଓ ଏନ୍‌ଆଇଟି ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି।ଏହି ଧାରାକୁ ଆଗକୁ ନେବା ଦିଗରେ କାର୍ଯ୍ୟ କରନ୍ତୁ। ଆହୁରି ଉନ୍ନତ କରିବା ପାଇଁ ସମୟ ଲାଗିବ। ବିଶ୍ବସ୍ତରୀୟ ହେବାକୁ ହେଲେ ଦକ୍ଷ ପ୍ରଫେସରଙ୍କ ଆବଶ୍ୟକତା ରହିଛି। ଆଇଆଇଟିରେ ଏବେ ୬ ଜଣ ବିଦେଶୀ ପ୍ରଫେସର ରହିଛନ୍ତି। ଆଇଆଇଟି, ଏନ୍‌ଆଇଟି, ଆଇଜର, ଆଇଏମ୍‌ଏସ୍‌ ପରି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ରାଜ୍ୟର ପ୍ରମୁଖ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ସହ ହାତ ମିଳାଇ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ଶିକ୍ଷାନୁଷ୍ଠାନ ମୁଖ୍ୟ କେବେ ବି ଦ୍ବନ୍ଦ୍ବ କିମ୍ବା ଚାପରେ ନ ପଡ଼ିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭୁବନେଶ୍ବର ଆଇଆଇଟିର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିବା ଖୁବ୍‌ଶୀଘ୍ର ଆଇଆଇଟି ଓ ଏନ୍‌ଆଇଟି ଗସ୍ତରେ ଆସିବେ ବୋଲି ସୂଚନା ଦେଇଥିଲେ।

Comments are closed.