Odisha Link
Bridging the Missing Links in Odisha

ନାଗପୁର ଜିଲ୍ଲା ପରିଷଦ ନିର୍ବାଚନ: ବିଜେପି ଓ ଶିବସେନାକୁ ଝଟକା, ଲାଭରେ..

ନାଗପୁର: ମହାରାଷ୍ଟ୍ର ପରେ ନାଗପୁରରେ ବିଜେପିକୁ ଝଟକା। ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ହାତରୁ ନାଗପୁର ଚାଲିଯାଇଛି। ଏଠାରେ ପୂର୍ବରୁ ବିଜେପିର ଦବଦବା ରହିଥିଲା। ଏପରି କି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଗଡ଼ ଭାବେ ପରିଚିତ ନାଗପୁରରେ ବିଜେପି ଚିତପଟାଙ୍ଗ ମାରିଛି। ସୂଚନାଥାଉକି ନାଗପୁରରେ ଆରଏସଏସର ମୁଖ୍ୟାଳୟ ରହିଛି।

ହେଲେ ଜିଲ୍ଲା ପରିଷଦ ନିର୍ବାଚନରେ ଲୋକମାନେ ଶିବସେନା, କଂଗ୍ରେସ ଓ ଏନସିପି ମେଣ୍ଟକୁ ଅଧିକ ସମର୍ଥନ କରିଛନ୍ତି। ହେଲେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଲୋକ ଶିବସେନାକୁ ସମର୍ଥନ ଜଣାଇ ନାହାନ୍ତି। କାରଣ ଶିବସେନା ନାଗପୁରରେ ମାତ୍ର ୧ଟି ସିଟ୍‌ ହାତେଇବାରେ ସଫଳ ହୋଇଛି। ସେହିପରି ମହାରାଷ୍ଟ୍ରର ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନରେ ବିଜେପି ଗତଥର ଅପେକ୍ଷା ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି।

ମହାରାଷ୍ଟ୍ରରେ କଂଗ୍ରେସ ୭୩ଟି ଜିଲ୍ଲା ପରିଷଦ ଓ ୧୪୫ ପଞ୍ଚାୟତ ସମିତି ଆସନ ଜିତିଥିବା ବେଳେ ଏନସିପି ୪୬ଟି ଜିଲ୍ଲା ପରିଷଦ ଓ ୮୦ଟି ପଞ୍ଚାୟତ ସମିତି ଏବଂ ଶିବସେନା ୪୯ଟି ଜିଲ୍ଲା ପରିଷଦ ଓ ୧୧୭ଟି ପଞ୍ଚାୟତ ସମିତି ଆସନ ଜିତିଛି। ବିଜେପି ୧୦୩ଟି ଜିଲ୍ଲା ପରିଷଦ ଆସନ କବଜା କରିଥିବା ବେଳେ ଭିବିଏ ୪୨ ଓ ସ୍ୱାଧୀନ ପ୍ରାର୍ଥୀ ୧୪ଟି ସିଟ ପାଇଛନ୍ତି।

ନାଗପୁର କଥା ବିଚାରକୁ ନେଲେ କଂଗ୍ରେସ ଏଠାରେ ୫୮ଟିରୁ ୩୦ଟି, ଏନସିପି ୧୧ ଓ ଶିବସେନା ୧ଟି ଆସନ ଜିତିଛି। ମେଣ୍ଟ କରିଥିବା ଦଳ ୪୨ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୧୫ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି।

ପାଲଘରରେ ମଧ୍ୟ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏଠାକାର ୫୭ଟି ଜିଲ୍ଲା ପରିଷଦ ଆସନରୁ ଶିବସେନା ୧୮ଟି ଆସନ ଜିତିଛି। ପୂର୍ବଥର ଦଳ ଏଠାରେ ୧୫ଟି ଆସନ ଜିତିଥିଲା। ବିଜେପି ପୂର୍ବଥର ୨୧ଟି ଆସନ ଜିତିଥିବା ବେଳେ ଏଥର ୧୨କୁ ଖସି ଯାଇଛି।

କଂଗ୍ରେସ ଓ ଏନସିପି ମଧ୍ୟ ଏଠାରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ପାଲଘରରେ ଜିଲ୍ଲା ପରିଷଦରେ ସଭାପତି ଦଖଲ କରିବାକୁ ସଂଖ୍ୟା ହାସଲ କରିନେଇଛନ୍ତି। ପୂର୍ବରୁ ବିଜେପି ଏଠାରେ ସଭାପତି ପଦ ନିଜ ଅକ୍ତିଆରରେ ରଖିଥିଲା।

Comments are closed.