ଦୀପିକାଙ୍କୁ ଟାର୍ଗେଟ କଲେ ସ୍ମୃତି, କହିଲେ ଦେଶକୁ ଭାଗ ଭାଗ..

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦରେ ଛନ୍ଦି ହେଉଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁଗୋନ। ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଦୀପିକାଙ୍କ ସମର୍ଥନ କରିବା ଘଟଣା ଦିନକୁ ଦିନ ଘନଉଛି। କିଛି ଦିନ ତଳେ ବିଜେପି ସାଂସଦ ସାକ୍ଷୀ ମହାରାଜ ଦୀପିକାଙ୍କୁ ବିରୋଧ କରିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦୀପିକାଙ୍କ ଏଭଳି କାମକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଦୀପିକା ଦେଶକୁ ଭାଗ ଭାଗ କରିବାକୁ ଚାହୁଛନ୍ତି, ଯେଉଁଥି ପାଇଁ ସେ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ସ୍ମୃତି ଇରାନୀ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସ୍ମୃତିଙ୍କୁ ଦୀପିକାଙ୍କ ଜେଏନୟୁ ଛାତ୍ରଛାତ୍ରୀଙ୍କ ସମର୍ଥନ କରିବା ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା।
ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ, ଯେଉଁମାନେ ଦୀପିକାଙ୍କ ଜେଏନୟୁ ଯାଇଥିବା ଖବର ପଢ଼ିଥିବେ, ସେମାନେ ଏହା ନିଶ୍ଚିତ ଜାଣିବାକୁ ଚାହିବେ କି, ଦୀପିକା ପ୍ରଦର୍ଶନକାରୀଙ୍କ ସହ ସାମିଲ କାହିଁକି ହେଲେ? ଏଥିରୁ ସ୍ପଷ୍ଟ ଯେ ସେ ଦେଶକୁ ଭାଗ ଭାଗ କରିବାକୁ ଚାହୁଛନ୍ତି। ଯେଉଁମାନେ ଲାଠିରେ ମହିଳାମାନଙ୍କ ଗୁପ୍ତାଙ୍ଗକୁ ଆକ୍ରମଣ କରୁଛନ୍ତି, କୌଣସି ସିଆରପିଏଫ୍ ଯବାନ ସହିଦ୍ ହେଲେ ଖୁସି ମନାଉଛନ୍ତି, ଯେଉଁମାନେ ଭାରତକୁ ଭାଗ ଭାଗ କରିବାକୁ ଖୁଲମ ଖୁଲା କହୁଛନ୍ତି, ସେମାନଙ୍କୁ ସମର୍ଥନ କରିଛନ୍ତି ଦୀପିକା। ରାଜନୀତି ଉପରେ ତାଙ୍କର କେତେ ଧାରଣା ରହିଛି, ତାହା ସେ ୨୦୧୧ରେ କଂଗ୍ରେସକୁ ସମର୍ଥନ କରି ସ୍ପଷ୍ଟ କରି ସାରିଛନ୍ତି। ତାଙ୍କର ଏଭଳି କାମରୁ ସେ କ’ଣ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି ବୋଲି ସ୍ମୃତି ଇରାନୀ କହିଛନ୍ତି।