Odisha Link
Bridging the Missing Links in Odisha

ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଶାଳଗଛ!

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଖଣି ଖନନ ପାଇଁ ପୂର୍ବରୁ ପ୍ରାୟ ୨୪ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା ହୋଇ ପାରି ନାହିଁ। ଏବେ ପୁଣି ଯୋଡ଼ା ଓ ବଣାଇ ଅଞ୍ଚଳରେ ୯ଟି ନୂଆ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ପ୍ରାୟ ୯ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେବାକୁ ଥିବାବେଳେ ୯ ଲକ୍ଷ ଶାଳଗଛ କଟାଯିବ ବୋଲି ଜଣାପଡ଼ିଛି। ଯଦି ଏପରି ହୁଏ, ତେବେ କେନ୍ଦୁଝର ଜିଲ୍ଲାର ପରିବେଶ ବିଗିଡ଼ିବା ସହ ବନ୍ୟଜନ୍ତୁ ଓ ଭୂତଳ ଜଳସ୍ତର ଉପରେ ଭୟଙ୍କର ପ୍ରଭାବ ପଡ଼ିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

କେନ୍ଦୁଝର ରାଜ୍ୟର ଏକ ବଡ଼ ଖଣି ଖାଦାନ ଭରା ଜିଲ୍ଲା। ୨୦୧୪ ମସିହା ସୁଦ୍ଧା ଏହି ଜିଲ୍ଲାରେ ମୋଟ ୧୦୯ଟି ଖଣି ଥିବାବେଳେ ୩୩୫୬୦ ହେକ୍ଟର ଜମି ଖଣି ଲିଜ୍‌ ଅନ୍ତର୍ଭୁକ୍ତ ଥିଲା। ସମୁଦାୟ ଲିଜ୍‌ ଜମି ମଧ୍ୟରୁ ମୋଟ ୨୪୧୧୨ ହେକ୍ଟର ଜଙ୍ଗଲ ଜମି ଥିଲା। ଖଣି ଖନନ ପାଇଁ ୨୪୧୧୨ ହେକ୍ଟର ଜଙ୍ଗଲ ସଂପୂର୍ଣ୍ଣ ଧ୍ବଂସ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏହାର କୁପ୍ରଭାବ ପଡ଼ିଥିଲା। ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀଙ୍କ ବାସସ୍ଥାନ ନଷ୍ଟ ହୋଇଥିଲା। ଜନବସତି ଆଡ଼କୁ ହାତୀପଲ ମାଡ଼ି ଆସିବା ସହ ହାତୀ-ମଣିଷ ଲଢ଼େଇ ହେବା ଏକ ନିତିଦିନିଆ ଘଟଣା। ଅଧିକାଂଶ ସମୟରେ ହାତୀପଲ ଜନବସତି ମୁହାଁ ହୋଇ ବିଦ୍ୟୁତ ଆଘାତ, ରେଳ କିମ୍ବା ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ଜୁଲାଇ ୨୧ ତାରିଖରେ ଘଟଗାଁସ୍ଥିତ ବାଲିଯୋଡ଼ିଠାରେ ସଡ଼କ ଦୁର୍ଘଟଣାରେ ୩ଟି ହାତୀଙ୍କ ଏକକାଳୀନ ମୃତ୍ୟୁ ଘଟିବା ଏହାର ଏକ ଜ୍ବଳନ୍ତ ଉଦାହରଣ। ଏଭଳି ସ୍ଥିତିରେ ଯୋଡ଼ା-ବଣାଇ ଉପଖଣ୍ଡର ଘଞ୍ଚ ଜଙ୍ଗଲରେ ଥିବା ଆହୁରି ୯ଟି ନୂଆ ଖଣି ଲିଜ୍‌ ପାଇଁ ଟେଣ୍ଡର ଆହ୍ବାନ କରାଯିବା ପରିବେଶପ୍ରେମୀଙ୍କୁ ଚିନ୍ତାରେ ପକାଇଛି।

Comments are closed.