Odisha Link
Bridging the Missing Links in Odisha

ଆସନ୍ତା ମାସ ଭାରତ ଆସିପାରନ୍ତି ଟ୍ରମ୍ପ୍‌

ନୂଆଦିଲ୍ଳୀ: ଆସନ୍ତା ମାସ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଭାରତ ଓ ଆମେରିକାର ଅଧିକାରୀମାନେ ପରସ୍ପର ସହ ଆଲୋଚନା କରି ତାରିଖ ନିର୍ଦ୍ଧାରଣ କରିବା ପରେ ଟ୍ରମ୍ପ୍‌ ଫେବୃଆରୀ ମାସ ଦ୍ବିତୀୟ ସପ୍ତାହରେ ଭାରତ ଆସିପାରନ୍ତି ବୋଲି ସୂଚନା ମିଳିଛି। ଗତବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ ସମୟରେ ଟ୍ରମ୍ପ୍‌ଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିଲା।ମାତ୍ର ସେ ସମୟରେ ଟ୍ରମ୍ପ୍‌ ଭାରତ ଆସିବାକୁ ଅସମର୍ଥ ବୋଲି ପ୍ରକାଶ କରିଥିଲେ। କିନ୍ତିୁ ବର୍ଷେ ପରେ ନିମନ୍ତ୍ରଣ ରକ୍ଷା କରି ଟ୍ରମ୍ପ୍‌ ଭାରତ ଆସିବେ ବୋଲି ବିଭିନ୍ନ ସୂତ୍ରରୁ ପ୍ରକାଶ ପାଇଛି ତେବେ, ଏ ନେଇ ଏଯାବତ୍‌ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ସେପ୍ଟମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପ୍‌ଙ୍କୁ ନିମନ୍ତ୍ରଣ ଦେଇ ୨୦୧୯ ଜାନୁଆରି ୨୬ ତାରିଖରେ ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହୋଇ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ସେହିବର୍ଷ ଅକ୍ଟୋବର ମାସରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଖବର ଆସିଥିଲା ଯେ ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଟ୍ରମ୍ପ୍‌ ଭାରତ ଗସ୍ତ କରିବାକୁ ଅସମର୍ଥ। ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ଉପରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ, ‘ମୁଁ ଭାରତ ଯାଏ ବୋଲି ସେ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ମୋର ସମୟ ଓ ସୁବିଧା କାଢ଼ି ନଶ୍ଚୟ ଭାରତ ଯାଇ ବୁଲିଆସିବି।’ ତେବେ, ଟ୍ରମ୍ପ୍‌ ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଖୁବ୍ ଶୀଘ୍ର ଭାରତ ଆସୁଛନ୍ତି ବୋଲି ସୂଚନା ମିଳିଛି।

Comments are closed.