Odisha Link
Bridging the Missing Links in Odisha

‘ମହାତ୍ମା ଗାନ୍ଧୀ’ ଭାରତ ରତ୍ନଠାରୁ ବହୁ ଊର୍ଦ୍ଧ୍ଵରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତିର ପିତା। କୌଣସି ପ୍ରକାର ଔପଚାରିକ ସମ୍ମାନଠାରୁ ସେ ବହୁ ବଡ଼। ଭାରତ ରତ୍ନ ସମ୍ମାନଠାରୁ ‘ମହାତ୍ମା ଗାନ୍ଧୀ ବହୁ ଉର୍ଦ୍ଧ୍ଵରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ କହିଛନ୍ତି। ଗାନ୍ଧିଜୀଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି କରି ପ୍ରଧାନ ବିଚାରପତି ଏହା କହିଛନ୍ତି ଏବଂ ଉକ୍ତ ପିଟିଶନକୁ ଖାରଜ କରିଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ପାଇଁ ଭାରତ ରତ୍ନ କ’ଣ ? ସେ ଭାରତ ରତ୍ନଠାରୁ ବହୁ ଊର୍ଦ୍ଧ୍ଵରେ। ମୁଁ ବି ଚାହୁଁଛି ତାଙ୍କୁ ସମ୍ମାନ ମିଳିବା ଦରକାର କିନ୍ତୁ ଦେଶବାସୀ ତାଙ୍କୁ କୌଣସି ଔପଚାରିକ ସମ୍ମାନଠାରୁ ଅଧିକ ଭାବନ୍ତି। ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ପାଖରେ ଉଠାଇ ପାରିବେ। କିନ୍ତୁ ସୁପ୍ରିମକୋର୍ଟ ନିଜେ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ନିର୍ଦେଶ ଦେବ ନାହିଁ।

ସୂଚନାଯୋଗ୍ୟ, ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। ଦେଶ ପାଇଁ ସର୍ବଶ୍ରେଷ୍ଠ ଅବଦାନ ଲାଗି କୌଣସି ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ସୁପାରିସ କରିବା ପରେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥାଏ। ୧୯୫୪ରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି। ବର୍ତ୍ତମାନ ସୁଦ୍ଧା ୪୮ ଜଣଙ୍କୁ ଏହି ସମ୍ମାନ ଦିଆଯାଇଛି।

Comments are closed.