Odisha Link
Bridging the Missing Links in Odisha

୨ବର୍ଷ ପରେ ପ୍ରତ୍ୟାବର୍ତ୍ତନ କଲେ ସାନିଆ, ଜିତିଲେ ଟାଇଟଲ

ହୋବାର୍ଟ: ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ରେକର୍ଡ କରିଛନ୍ତି ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜା। ଦୀର୍ଘ ଦୁଇ ବର୍ଷ କାଳ ଟେନିସ କୋଟରୁ ଦୂରେଇ ରହିଥିବା ସାନିଆ ମିର୍ଜା ପ୍ରତ୍ୟାବର୍ତ୍ତନ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତି ରେକର୍ଡ କରିଛନ୍ତି। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା ଡବଲ୍ସ ଫାଇନାଲରେ ବିଜୟୀ ହୋଇଛନ୍ତି। ସାନିଆ ଓ ତାଙ୍କ ସାଥୀ ଖେଳାଳି ୟୁକ୍ରେନର ନାଦିଆ କିଚେନୋକ ମହିଳା ଡବଲ୍ସ ଫାଇନାଲ ଜବରଦସ୍ତ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି।

ଫାଇନାଲରେ ସାନିଆ ଓ କିଚେନୋକଙ୍କ ଯୋଡ଼ି ଚାଇନିଜ୍ ଯୋଡ଼ି ଝାଙ୍ଗ ଶୁଆଇ ଏବଂ ପେଙ୍ଗ ଶୁଆଇଙ୍କୁ ଭେଟିଥିଲେ। ତେବେ ଏହି ଚାଇନିଜ୍‌ ଯୋଡ଼ିଙ୍କୁ ସାନିଆ ଓ କିଚେନୋକ ସିଧାସଳଖ ୬-୪ ଓ ୬-୪ ସେଟରେ ପରାସ୍ତ କରିଛନ୍ତି। ଦୀର୍ଘ ୧ ଘଣ୍ଟା ୨୧ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଅଧିକାଂଶ ସମୟ ଭାରତ ଓ ୟୁକ୍ରେନ ଯୋଡ଼ିଙ୍କ ଦବଦବାର ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ସାନିଆ ଓ ନାଦିଆ କିଚେନୋକ ଯୋଡ଼ି ସେମିଫାଇନାଲରେ ସ୍ଲୋଭେନିଆ-ଚେକ୍ ରିପବ୍ଲିକ୍ ଯୋଡ଼ି ତାମାରା ଜିଦାନସେକ୍ ଓ ମ୍ୟାରି ବୁଜକୋକାଙ୍କୁ ହରାଇ ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ। ୧ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ପଞ୍ଚମ ସିଡ୍ ଇଣ୍ଡୋ-ୟୁକ୍ରେନ୍ ଯୋଡ଼ି ୭-୬ (୩), ୬-୨ ସେଟରେ ବିଜୟୀ ହୋଇଥିଲେ।

୩୩ ବର୍ଷୀୟ ସାନିଆ ମା’ ହୋଇଥିବାରୁ ଦୀର୍ଘ ୨ ବର୍ଷ କାଳ ଟେନିସ କୋଟରୁ ଦୂରେଇ ରହିଥିଲେ। ହେଲେ ନିଜର କମବ୍ୟାକ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ବିଜୟରୁ ୨୦୨୦ର ଶୁଭାରମ୍ଭ କରିଛନ୍ତି। ଏବେ ତାଙ୍କ ଲକ୍ଷ୍ୟ ଅଷ୍ଟ୍ରେଲିଆ ଓପନ ଓ ଅଲିମ୍ପିକ୍ସ ଉପରେ ରହିଛି।

Comments are closed.