ଦିଲ୍ଲୀ ନିର୍ବାଚନ: ଭାଙ୍ଗିଲା ୨୧ ବର୍ଷ ପୁରୁଣା ସମ୍ପର୍କ, ଲଢ଼ିବନି ଅକାଳୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଭାଙ୍ଗିଲା ୨୧ ବର୍ଷ ପୁରୁଣା ଗଠବନ୍ଧନ। ଲମ୍ବା ସମୟ ଧରି ଏନଡିଏରେ ଥିବା ଶିରୋ ମଣି ଅକାଳୀ ଦଳ ଏଥର ଦିଲ୍ଲୀ ନିର୍ବାଚନରେ ଲଢ଼ିବ ନାହିଁ। ଶିରୋ ମଣି ଅକାଳୀ ଦଳ ନେତା ଶିଅଦ ବାଦଲ ନିର୍ବାଚନରୁ ଅଲଗା ରହିବା ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଗଣମାଧ୍ୟମର ପ୍ରସାରିତ ଖବର ଅନୁଯାୟୀ, ବିବାଦୀୟ ନାଗରିକତା ଆଇନ(ସିଏଏ)କୁ ନେଇ ବିଜେପି ଓ ଅକାଳୀ ମଧ୍ୟରେ ଜାରି ରହିଥିବା ତିକ୍ତତା କାରଣରୁ ଏଭଳି ନିଷ୍ପତ୍ତି ନେଇଛି ଶିରୋ ମଣି ଅକାଳୀ ଦଳ।
ଦିଲ୍ଲୀ ଅକାଳୀ ଦଳ ନେତା ମଜିନ୍ଦର ସିଂହ ସିର୍ସା କହିଛନ୍ତି, “ଆମ ଦଳ ସିଏଏକୁ ସେତେବେଳେ ସ୍ୱାଗତ କରିବ, ଯେତେବେଳେ ଧର୍ମକୁ ଏଥିରୁ ବାଦ ଦିଆଯିବ। ଧର୍ମ ଆଧାରରେ ନାଗରିକତା ଦେବା ଭୁଲ। ସିଏଏରେ ସବୁ ଧର୍ମର ଲୋକଙ୍କୁ ସାମିଲ କରାଯିବା ଉଚିତ। ଆମ ଦଳ ସର୍ବଦା ଏହି ନୀତିକୁ ସମାନ ଦେଇ ଆସିଛି।
ଏଥିରେ କୌଣସି ବୁଝାମଣା କରାଯିବ ନାହିଁ। ଆମ ମତରେ ଧର୍ମକୁ ନେଇ ଦେଶରେ ବିଭେଦତା ସୃଷ୍ଟି କରିବା ଅନୁଚିତ। ତେଣୁ ଆମେ ବୁଝାମଣା କରିବା ଅପେକ୍ଷା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ଏନ୍ଆରସି ମଧ୍ୟ ଲାଗୁ ହେବା ଅନୁଚିତ। ଏ ଦେଶ ସମସ୍ତଙ୍କର।