Odisha Link
Bridging the Missing Links in Odisha

କୃଷି ଋଣ ଯୋଗାଣ ପାଇଁ ସମବାୟ ବିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି: ସମବାୟ ମନ୍ତ୍ରୀ

ଭୁବନେଶ୍ବର: ବିକାଶ ଓ ଅର୍ଥନୈତିକ ଉନ୍ନତିରେ କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ଠିକ୍‌ ସମୟରେ ପର୍ଯ୍ୟାପ୍ତ ଋଣ ଯୋଗାଇ ଦେବା ଦିଗରେ ସମବାୟ ବିଭାଗ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କୃଷି କ୍ଷେତ୍ରରେ ୮୦ ଭାଗରୁ ଅଧିକ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ନୂତନ କୃଷିପଦ୍ଧତି ଓ ଜ୍ଞାନକୌଶଳ ଆପଣାଇବା ଦିଗରେ ଋଣର ଆବଶ୍ୟକତା ଦୃଷ୍ଟିରୁ ଚାଷୀ ଯେପରି ସହଜରେ ଓ ସୁବିଧାରେ ଋଣ ପାଇପାରିବ ସେ ଦିଗରେ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ଆରୋପ କରିଥିଲେ । ୨୦୦୦ ମସିହାରେ ସମବାୟ ବିଭାଗ ପକ୍ଷରୁ ୪୨୬ କୋଟି କୃଷି କ୍ଷେତ୍ରରେ ଋଣ ଯୋଗାଣ କରାଯାଇଥିବାବେଳେ ବର୍ତ୍ତମାନ ଏହା ୧୨,୭୦୦ କୋଟିରୁ ଊଦ୍ଧ୍ୱର୍ରେ ପହଞ୍ଚିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଜନତା ମଇଦାନରେ ‘କୃଷି ଓଡ଼ିଶା’ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ସଂପ୍ରତି ରାଜ୍ୟ ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇଥିବାରୁ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଓ ଉତ୍ପାଦିତ ଫସଲ ସଂରକ୍ଷଣ ନିମନ୍ତେ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାର ଚାଷୀମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ସମବାୟ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ବିପଣନ ପରିଷଦ ଏବଂ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଏହାର ପୁନର୍ଗଠନ କରାଯାଉଛି । ଏଥି ସହିତ ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ କି୍ରୟାଶୀଳ କରିବା ଏବଂ ପ୍ରକୃତ ଚାଷୀ ଯେପରି ତା’ର ଉତ୍ପାଦିତ ଧାନ ବିକି୍ର କରିପାରିବ ସେଥି ନିମନ୍ତେ ଅନ୍‌ଲାଇନ୍‌ରେ ଚାଷୀ ପଂଜୀକରଣ, ଆଧାର ସଂଯୋଗୀକରଣ, ପି-ପାସ୍‌ ଓ ଆଗୁଆ ଟୋକେନ୍‌ ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଚାଷୀମାନଙ୍କ ସୁବିଧା ପାଇଁ କୃଷି ଋଣ, ସାର ଓ ବିହନ ଯୋଗାଣ, ବଳକା ଧାନ ଓ ଶସ୍ୟ ସଂଗ୍ରହ, ଶସ୍ୟ ସଂରକ୍ଷଣ ଆଦି ସୁବିଧାମାନ ଗୋଟିଏ ଛାତତଳେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ୱାନ୍‌ ଷ୍ଟପ୍‌ ସପ୍‌ରେ ପରିଣତ କରାଯାଉଛି । ଏଥି ସହିତ କୃଷି ଅର୍ଥନୀତି ସହ ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ପାଇଁ ଗାନ୍ଧୀଜୀଙ୍କ ବିଚାରଧାରାର ପ୍ରାସଙ୍ଗିକତା ଆଜି ବି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ଚଳିତ ବର୍ଷ ‘କୃଷି ଓଡ଼ିଶା’କୁ ଏକ ନୂଆ ଢାଞ୍ଚାରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରାଯାଇଛି । କୃଷି ସହିତ ସମ୍ବନ୍ଧିତ ବିଭାଗଗୁଡ଼ିକୁ ଗୁରୁତ୍ୱ ଦିଆଯାଇବିଭିନ୍ନ ଦିବସକୁ ତଦନୁସାରେ ନାମକରଣ କରାଯିବା ସହିତ ସେ ସଂପର୍କରେ ଆଲୋଚନା କରାଯାଉଛି, ଯେପରି ଚାଷୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ । କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଦିଗରେ ଋଣର ଆବଶ୍ୟକତା ଦୃଷ୍ଟିରୁ ଆସନ୍ତାକାଲି ବ୍ୟାଙ୍କ ଅଧିକାରୀମାନଙ୍କ ସହିତ ‘କୃଷି ଓଡ଼ିଶା’ର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସେହିପରି ପଞ୍ଚାୟତିରାଜ ଲୋକପ୍ରତିନିଧି ଏବଂ ମହିଳାମାନଙ୍କର କୃଷିର ବିକାଶ ଦିଗରେ ବିଶେଷ ଯୋଗଦାନ ଥିବା ଦୃଷ୍ଟିରୁ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ ଏବଂ ମହିଳା ଦିବସ ରଖାଯାଇଛି । ଓଡ଼ିଶାର କୃଷିକୁ ଏକ ନୂତନ ଦିଗ ଦେବା ପାଇଁ କୃଷି ଓ ସମବାୟ ବିଭାଗ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।

ଉତ୍ସବ ପ୍ରାରମ୍ଭରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସ୍ୱାଗତ ଭାଷଣ ପ୍ରଦାନ କରି ‘କୃଷି ଓଡ଼ିଶା’ ଉତ୍ସବ ଆୟୋଜନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତ୍ତିବାସ ପାତ୍ର, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମତ୍ସ୍ୟ ଉନ୍ନୟନ କର୍ପୋରେସନ୍‌ର ଅଧ୍ୟକ୍ଷ ଅସିତ୍‌ ପଟ୍ଟନାୟକ, ନାବାର୍ଡର ଚିଫ୍‌ ଜେନେରାଲ୍‌ ମ୍ୟାନେଜର ଏ. ଚନ୍ଦ୍ରଶେଖର, ୟୁକୋ ବ୍ୟାଙ୍କର ଭୁବନେଶ୍ୱର ସର୍କଲ ହେଡ୍‌ର ଜେନେରାଲ୍‌ ମ୍ୟାନେଜର ଏସ୍‌. କୁମାର, ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଏମ୍‌ ପ୍ରିୟରଞ୍ଜନ ପ୍ରମୁଖ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ବିକାଶ ଦିଗରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଇ-ଲାଇସେନି୍ସଂର ୟୁଜର ମାନୁଆଲ୍‌ ସହିତ ସିଙ୍ଗଲ୍‌ ୱିନ୍‌ଡୋ ଆଧାରିତ ଇ-ଲାଇସେନ୍ସିଂ ପଦ୍ଧତିର ଶୁଭ ଉନ୍ମୋଚନ କରିଥିଲେ । ଉଦ୍ୟାନ କୃଷିରେ ବିଶେଷ ଉତ୍କର୍ଷ ହାସଲ କରିଥିବା ରାଜ୍ୟର ୩୦ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୧୦ଟି ଜଳଛାୟା ପ୍ରକଳ୍ପ କମିଟିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.