Odisha Link
Bridging the Missing Links in Odisha

ନିର୍ଭୟା ଦୋଷୀ ବିନୟକୁ ଖାଦ୍ୟରେ ଦିଆଯାଉଛି ବିଷ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଅଭିଯୁକ୍ତ ତିହାର ଜେଲ ପ୍ରଶାସନ ଉପରେ ଆଣିଛନ୍ତି ଚାଞ୍ଚଲ୍ୟକର ଅଭିଯୋଗ। ଅଭିଯୁକ୍ତ ବିନୟକୁ ଜେଲ ପ୍ରଶାସନ ପକ୍ଷରୁ ଖାଦ୍ୟରେ ‘ସ୍ଲୋ ପଏଜନ’ ଦିଆଯାଉଛି ଏବଂ ତା’କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କୌଣସି ଚିକିତ୍ସା ରିପୋର୍ଟ ଦିଆଯାଉ ନାହିଁ। ଶନିବାର ପଟିୟାଲା ହାଉସ କୋର୍ଟରେ ଶୁଣାଣି ସମୟରେ ଦୋଷୀମାନେ ଏଭଳି ଅଭିଯୋଗ କରିଛନ୍ତି।

ଫାଶୀରୁ ବର୍ତ୍ତିବା ଲାଗି ଦୋଷୀମାନେ ଯେଉଁ ଉପାୟ ଅବଲମ୍ବନ କରିଥିଲେ ତାହା ଶନିବାର ନୂଆ ମୋଡ଼ ନେଇଛି। ଶୁଣାଣି ସମୟରେ ସରକାରୀ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ, ତିହାର ଜେଲ୍‌ ଅଧିକାରୀମାନେ ଦୋଷୀମାନଙ୍କ ଓକିଲଙ୍କ ଦ୍ବାରା ମଗାଯାଇଥିବା ସମସ୍ତ କାଗଜପତ୍ର ପୂର୍ବରୁ ସେମାନଙ୍କୁ ଦିଆଯାଇ ସାରିଛି। ଫାଶୀରୁ ବର୍ତ୍ତିବା ଏବଂ ଏହାକୁ ବିଳମ୍ବିତ କରିବା ପାଇଁ ସେମାନେ ଏଭଳି କୌଶଳ ଆପଣାଉଛନ୍ତି।

ସୂଚନାଯୋଗ୍ୟ, ଦୋଷୀ ମୁକେଶ ସଂଶୋଧକ ପିଟିଶନକୁ ସୁପ୍ରିମକୋର୍ଟ ଏବଂ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି। ଫଳରେ ତା’ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ କୌଣସି ଆଇନଗତ ବିକଳ୍ପ ନାହିଁ। ଅନ୍ୟତମ ଦୋଷୀ ବିନୟର ସଂଶୋଧକ ପିଟିଶନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିବାବେଳେ ରାଜକ୍ଷମା ଆବେଦନ ବାକି ରହିଛି। ଏହା ବ୍ୟତୀତ ଅନ୍ୟ ୨ ଦୋଷୀ ପୱନ ଏବଂ ଅକ୍ଷୟ ନିକଟରେ ଉଭୟ ବିକଳ୍ପ ରହିଛି।

Comments are closed.