Odisha Link
Bridging the Missing Links in Odisha

ଆଜି ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ, କେମିତି ଥିଲା ମୃତ୍ୟୁ ପୂର୍ବର ସେହି କ୍ଷଣ

ଭୁବନେଶ୍ବର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। ଜାନୁଆରୀ ୩୦ତାରିଖକୁ ସାରା ଦେଶ ଗାନ୍ଧୀଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ। ଆଜିର ଦିନରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ପରଲୋକ ହୋଇଥିଲା। ୧୯୪୮ ମସିହା ଆଜିର ଦିନରେ ନାଥୁରାମ ଗଡ଼ଶେ ମହାତ୍ମା ଗାନ୍ଧୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ହେ ରାମ କହି, ମହାତ୍ମା ଗାନ୍ଧୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ତାଙ୍କ ବିୟୋଗରେ ସାରା ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା। ତେଣୁ ଏହି ଦିନକୁ ଗାନ୍ଧୀଙ୍କ ତିରୋଧାନ ଦିବସ ଭାବେ ପାଳନ କରାଯାଉଛି। ବାପୁଙ୍କର ହତ୍ୟା କିପରି ହେଲା, ଶେଷ ସମୟରେ କଣ ହୋଇଥିଲା, ସେ ସଂପର୍କରେ ସମସ୍ତଙ୍କର ଜାଣିବାକୁ ଆଗ୍ରହ ହୋଇଥିଲା।

ବାପୁଙ୍କର ନିକଟ ସଂପର୍କୀୟମାନେ ଏସଂକ୍ରାନ୍ତରେ ବିସ୍ତାରରେ ଚର୍ଚ୍ଚା କରନ୍ତି। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ଗାନ୍ଧୀଜୀ ଏହି ପ୍ରାର୍ଥନା ସଭାରେ ୧୫ ମିନିଟ୍ ବିଳମ୍ବରେ ପଂହଚିଥିଲେ, ଏଠାରେ ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କର ପ୍ରାଇଭେଟ ସେକ୍ରେଟାରୀ ବି କଲ୍ୟାଣମ୍ ଏସଂପର୍କରେ ବିସ୍ତୁୃତରେ ବର୍ଣ୍ଣନା କରିଛନ୍ତି। କଲ୍ୟାଣମଙ୍କ ଅନୁଯାୟୀ ସେହି ସମୟରେ ପଣ୍ଡିତ ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା, ଯାହାକୁ ନେଇ ଚିନ୍ତାରେ ଥିଲେ ମହାତ୍ମା ଗାନ୍ଧୀ। ଏସଂପର୍କରେ ଚର୍ଚ୍ଚା କରିବା ପାଇଁ ସେ ପଟେଲଙ୍କୁ ସନ୍ଧ୍ୟା ୪ଟାରେ ଦିଲ୍ଲୀର ବିଡଲା ଭବନକୁ ନିମନ୍ତ୍ରିତ କରିଥିଲେ।

ବାପୁ ଚାହୁଁଥିଲେ ପଟେଲ ଇସ୍ତଫା ଦିଅନ୍ତୁ, ଯାହାଦ୍ୱାରା କି ନେହେରୁ ନିଜ କାମ ସୁଚାରୂ ରୂପେ କରିପାରନ୍ତୁ। ବାପୁଙ୍କୁ ସନ୍ଧ୍ୟା ୫ଟାରେ ପ୍ରାର୍ଥନା ସଭା ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପଟେଲଙ୍କ ସହ ଚର୍ଚ୍ଚା ଯୋଗୁ ବିଳମ୍ବ ହୋଇଥିଲା। ୫ଟା ୧୦ ମିନିଟରେ ବାପୁ ପ୍ରଥମେ ଟଏଲେଟ ଯାଇଥିଲେ, ଏହାପରେ ସିଧା ସେ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ବାହାରି ପଡିଥିଲେ। ଏହି ପ୍ରାର୍ଥନା ଗୃହ ବାପୁଙ୍କ ଗୃହ ଠାରୁ କିଛି ଦୂରରେ ଥିଲା । ବାପୁ ଯେତେବେଳେ ପ୍ରାର୍ଥନା ଗୃହରେ ପଂହଚିଥିଲେ, ସେତେବେଳେ ସେ ୧୫ ମିନିଟରୁ ଅଧିକ ବିଳମ୍ବ ହୋଇସାରିଥିଲେ।

ବାପୁ ନିଜର ନାତୁଣୀ ସହ ଏଠାରେ ପଂହଚିଥିଲେ। କଲ୍ୟାଣମ୍ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ। ବାପୁ କିନ୍ତୁ ବିଳମ୍ବରେ ପଂହଚିଥିବାରୁ ରାଗିଯାଇଥିଲେ। ଏହାପରେ ବାପୁ ପ୍ରାର୍ଥନା ସଭାକୁ ଯାଉଥିବା ଶିଡି ଚଢିବା ଆରମ୍ଭ କଲେ । ଲୋକ ମଧ୍ୟ ବାପୁଙ୍କୁ ସ୍ୱାଗତ କରୁଥିଲେ। ବାପୁ ନିଜ ଆସନ ନିକଟକୁ ଯାଉଥିଲେ, ଯେଉଁ ଆସନରେ ସେ ବସି ପ୍ରାର୍ଥନା କରନ୍ତି। ଏହି ଭିଡ ମଧ୍ୟରେ ନାଥୁରାମ ଗୋଡସେ ଲୁଚି କରିଥିଲା। ଏହି ସମୟରେ ନାଥୁରାମ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲା। ଫଳରେ ହୋହଲ୍ଲା ହୋଇ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା। ବାପୁ ଏହି ସମୟରେ ତଳେ ପଡିଯାଇଥିଲେ, ତାଙ୍କର ପ୍ରବଳ ରକ୍ତସ୍ରାବ ହେଉଥିଲା।

ଲୋକ ଦୌଡାଦୌଡି ହେବାରୁ ବାପୁଙ୍କର ଚଷମା ମଧ୍ୟ ତଳେ ପଡିଯାଇଥିଲା। ଯେତେବେଳେ ଲୋକଙ୍କୁ ବାପୁଙ୍କ ହତ୍ୟା ଖବର ମିଳିଲା ଲୋକେ ଆଚମ୍ବିତ ହୋଇଯାଇଥିଲେ। ଏହାପରେ ବିଡର୍ଲା ଭବନରେ ଲୋକଙ୍କର ଭିଡ ଜମିଥିଲା। ହତ୍ୟା ପରେ କଲ୍ୟାଣମ୍ ନେହେରୁଙ୍କୁ ସୂଚନା ଦେଇଥିଲେ। କଲ୍ୟାଣମଙ୍କ ଅନୁସାରେ ବାପୁ ଯେଉଁଠାରେ ଟଳିପଡିଥିଲେ, ଲୋକେ ସେଠାରୁ ନିଜ ମୁଠାରେ ମାଟି ଉଠାଉ ନେଇ ଯାଉଥିଲେ, ଫଳରେ ସେଠାରେ ଏକ ବଡ ଗାତ ସୃଷ୍ଟି ହୋଇଥିଲା। ତେବେ ମୃତ୍ୟୁ ସମୟରେ ବାପୁ ହେ ରାମ କହିଥିବା ଶବ୍ଦକୁ ତାଙ୍କ ସଚିବ ଖଣ୍ଡନ କରିଛନ୍ତି। କୌଣସି ସାମ୍ବାଦିକ ଅନୁମାନରେ ଏହା ଲେଖି ଦେଇଥିଲେ, ଏବଂ ଏହା ପ୍ରଚଳିତ ହେଉଥିବା ସେ କହିଛନ୍ତି।

Comments are closed.