Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀ ପବନର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପବନ ଗୁପ୍ତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ପବନ ନିଜକୁ ‘ବାଳ ଅପରାଧୀ’ ଦର୍ଶାଇ କୋହଳ ଦାବି ମାମଲାର ପୁନର୍ବିଚାର ପାଇଁ ଆଗତ ମାମଲାକୁ ଫାଶୀର ଦିନକ ପୂର୍ବରୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

୨୦୧୨ରେ ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ଵନ ଗୁପ୍ତା ନିଜକୁ ଏକ ବାଳ ଅପରାଧୀ ବୋଲି ଦାବୀ କରୁଥିଲା। ଏହି ଅପରାଧ ଘଟିବା ବେଳେ ସେ ନାବାଳକ ଥିବା ଦାବୀ ମଧ୍ୟ କରୁଥିଲା। ପୂର୍ବରୁ ନିଜକୁ ଏକ ବାଳ ଅପରାଧୀ ବୋଲି ଦର୍ଶାଇ ସେ ତଳ ଅଦାଲତ ଠାରୁ ଆରମ୍ଭ କରି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟ ପର୍ଯ୍ୟନ୍ତ ମାମଲା ଲଢ଼ିଥିଲା। ହେଲେ ସବୁ ଠାରେ ସେ ବାଳ ଅପରାଧୀ ବୋଲି ଦାବୀ କରି ଆଗତ କରିଥିବା ମାମଲା ସବୁ ଖାରଜ ହୋଇ ଯାଇଥିଲା।

ଶେଷରେ, ସେ ପୁଣି ଥରେ ତାର ବାଳ ଅପରାଧୀ ଆବେଦନର ପୁନର୍ବିଚାର କରିବାକୁ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ କରିଥିଲା। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର ଭାନୁମତୀ, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଏକ ଖଣ୍ଡପୀଠ ପଓ୍ଵନ ଗୁପ୍ତାର ‘ବାଳ ଅପରାଧୀ’ ମାମଲାର ପୁନର୍ବିଚାର ପାଇଁ ଆଗତ ଯାଚିକାକୁ ଖାରଜ କରି ଦେଇଛନ୍ତି।

Comments are closed.