Odisha Link
Bridging the Missing Links in Odisha

ଆଦିବାସୀ ମେଳା : ପଞ୍ଚମ ସଂଧ୍ୟାରେ ଭକ୍ତି ଭାବରେ ଭିଜିଲେ ଦର୍ଶକ

ଭୁବନେଶ୍ୱର : ଆଦିବାସୀ ମେଳାର ଷଷ୍ଠ ଦିବସରୁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ନାଗାଲାଣ୍ଡ, ମିଜୋରାମ, ସିକିମ, ଆସାମ, ଛତିଶଗଡ, ରାଜସ୍ଥାନ,ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳପ୍ରଦେଶ ସହିତ ଓଡିଶାର ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ ହୋଇଛି ।

ବିଭିନ୍ନ ରାଜ୍ୟର ଜନଜାତିମାନଙ୍କ ସ୍ୱତନ୍ତ୍ର ବେଶଭୂଷା ସାଙ୍ଗକୁ ବାଦ୍ୟ ଓ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଛି । ଏହି ଜାତୀୟ ନୃତ୍ୟ ମହୋତ୍ସବ ତିନିଦିନ ଧରି ଚାଲିବ । ତେବେ ପଞ୍ଚମ ସଂଧ୍ୟାରେ ଶହୀଦ ଦିବସ ଉପଲକ୍ଷେ ମେଳା ପରିସରରେ ବିଶିଷ୍ଟ ଗାୟକ ଲକ୍ଷ୍ମିକାନ୍ତ ପାଲିତ୍ ଓ ସାଥୀଙ୍କ ଦ୍ୱାରା ଦେଶାତ୍ମବୋଧକ ଓ ଭଜନପରିବେଷିତ ହୋଇଥିଲା ।

ଦେଶାତ୍ମବୋଧକ ଗୀତର ଗୁରୁଗମ୍ଭୀର ରାଗ ଦର୍ଶକଙ୍କୁ ବାନ୍ଧି ରଖିଥିବାବେଳେ ଭଜନ ବି ମନ ମୋହି ନେଇଥିଲା । ଆଦିବାସୀମେଳାରେ ପ୍ରତିବର୍ଷ ଶହୀଦ ଦିବସରେ ଏଭଳି ଦେଶାତ୍ମବୋଧକ ଗୀତ ଓ ଭବନ ପରିବେଷଣର ପରମ୍ପରା ରହିଥିବା କହିଛନ୍ତି ଆଦିବାସୀ ମେଳା ଦାୟିତ୍ୱରେ ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ।

ଡକ୍ଟର ଓତା କହିଛନ୍ତି ଯେ ସରସ୍ୱତୀ ପୂଜା ପାଇଁ ଛୁଟି ଥିବାରୁ ପଞ୍ଚମ ଦିନରେ ଆଦିବାସୀମେଳାରେ ରେକର୍ଡ ପରିମାଣର ୬୦ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଛି । ବିଭିନ୍ନ ରାଜ୍ୟର ଜନଜାତି କଳାକାରଙ୍କ ନୃତ୍ୟ ଓ ବାଦ୍ୟ ପରିବେଷଣ ଦର୍ଶକଙ୍କ ମନଛୁଇଁଥିବାବେଳେ ଆଦିବାସୀ ମେଳା ପରିସରରେ ଆଦିବାସୀ ଖାଦ୍ୟ ପ୍ରାଙ୍ଗଣରୁ ବିଭିନ୍ନ ପାରମ୍ପାରିକ ଖାଦ୍ୟ ଖାଇବା ସହିତ ଆଦିବାସୀ ହାଟରୁ ଜୈବିକ ସାମଗ୍ରୀ ବହୁଳ ପରିମାଣରେ ଖରିଦ କରିଛନ୍ତି ।

ଏଥି ସହିତ ପ୍ରଥମଥର କରି ମେଳା ପରିସରରେ ଜନଜାତି କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରୁଥିବାବେଳେ ତାହା ଦେଖିବାପାଇଁ ବି ଭିଡ ହେଉଛି । ମେଳା ପରିସରରେ ପ୍ରତିଦିନ ଲକ୍ଷାଧିକ ଜନସମାଗମ ହେଉଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀ ତଥା ଅନ୍ୟ ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ହୋଇ ପାରିଛି । ଆଗାମୀ ଦିନ ଗୁଡିକରେ ଆଦିବାସୀ ମେଳାରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶା କରାଯାଉଛିି ।

Comments are closed.