Odisha Link
Bridging the Missing Links in Odisha

ବଜେଟ ୨୦୨୦: ଆୟବୃଦ୍ଧି ଏବଂ ଚାଷୀଙ୍କୁ ଗୁରୁତ୍ୱ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍। ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍‌-୨୦୨୦-୨୧କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଥିଲେ। ଏହା ନିର୍ମଳା ସୀତାରମଣଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ବାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣ ଆରମ୍ଭ କରିଛନ୍ତି। ଏଥରର ବଜେଟ୍‌ ଲୋକଙ୍କ ଆୟ ବୃଦ୍ଧି କରିବ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବାକୁ ଏହି ବଜେଟ । ଜିଏସଟି ହେଉଛି ସବୁଠାରୁ ଐତିହାସିକ ନିଷ୍ପତ୍ତି। ଅର୍ଥନୀତିକୁ ସଠିକ ଦିଗରେ ଆଗକୁ ବଢାଇବାରେ ବେଶ ସହାୟକ ହୋଇଛି। ଜିଏସଟି ଆମ ଦେଶର ଐତିହାସିକ ନିଷ୍ପତ୍ତି। ଜିଏସଟି କଥା ସଂସଦରେ ଉଠାଇବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନେ ପକାଇ ସଲାମ କରିଛନ୍ତି ସୀତାରମଣ।

ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ଘର ଯୋଗାଇବା ଆମର ଲକ୍ଷ୍ୟ। ଭାରତ ହେଉଛି ବିଶ୍ୱର ୫ମ ବୃହତ ଅର୍ଥନୈତିକ ରାଷ୍ଟ୍ର। ଦେଶ ଅର୍ଥନୀତିର ମୂଳଦୁଆ ଶକ୍ତ ରହିଛି। ଜିଏସଟି ବଳରେ ଦେଶରେ ୧୬ ଲକ୍ଷ ନୂଆ ଟିକସ ଦାତାଙ୍କ ସଂଖ୍ୟା ବଢିଛି। କେନ୍ଦ୍ର ସରକାର ୨୭ କୋଟି ଲୋକଙ୍କୁ ଗରୀବି ସୀମାରେଖା ତଳୁ ଉପରକୁ ଆଣିଛନ୍ତି । ଦରଦାମ ବୃଦ୍ଧିକୁ କମ କରିବା ପାଇଁ ସରକାର ନେଉଥିବା ପଦକ୍ଷେପ ସଫଳତା ଆଣିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ।

ବଜେଟ ପେଡି ଖୋଲିବା ପୂର୍ବରୁ କବିତା ପଢିଲେ ସୀତାରମଣ। ଅଧିକ ରୋଜଗାର ଦେବାକୁ ସରକାର ସଂକଳ୍ପ ନେଇଛନ୍ତି । ଦେଶରେ ବ୍ୟାଙ୍କଗୁଡିକର ସ୍ଥିତି ବେଶ ସୁଦୃଢ ରହିଛି । ଆମର ଆର୍ଥିକ ନୀତି ଉପରେ ଦେଶର ଭରସା ରହିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ।

କୃଷିକୁ ଗୁରୁତ୍ବ:
ଚଳିତ ବଜେଟରେ କୃଷକଙ୍କୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣା ହେବ ବୋଲି କହିଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ୧୬ ସୁତ୍ରୀ ଯୋଜନା ନେଇ ବଜେଟରେ ତଥ୍ୟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପରମ୍ପରା ଚାଷ, ସିଞ୍ଚନକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ଚାଷୀଙ୍କ ପାଇଁ ପିଏମ କୁସୁମ ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ। ଏହି ଯୋଜନା ଫଳରେ ଚାଷୀଙ୍କୁ ଦିଆଯିବ ସୌର ପମ୍ପସେଟ। ଚାଷ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ। ଏଥିସହିତ ସେ କହିଛନ୍ତି ଯେ, ଦେଶବାସୀଙ୍କ ଆଶା ପୂରଣ କରିବ ଚଳିତ ବଜେଟ। ଏଥର ସ୍ୱାସ୍ଥ୍ୟ, ଶିକ୍ଷା, ଚାଷକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁୁତ୍ବ:
ଚଳିତ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୬୩ ହଜାର କୋଟିର ଅନୁଦାନ ଘୋଷଣ କରିଛନ୍ତି ସରକାର। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦୨୫ ସୁଦ୍ଧା ସମସ୍ତ ହସ୍ପିଟାଲରେ ଜନଔଷଧୀ ସ୍କିମ ଲାଗୁ କରିବା ପାଇଁ ପ୍ରସ୍ତାବ।

ଅପରପକ୍ଷେ ଭାରତରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ବଜେଟରେ ବଡ ଘୋଷଣା। ଟିବିମୁକ୍ତ ଦେଶ ପାଇ ଅଭିଯାନ ଆରମ୍ଭ, ୨୦୨୫ ସୁଦ୍ଧା ପୂରଣ ହେବ ଲକ୍ଷ୍ୟ। ଜନ ଔଷଧୀ କେନ୍ଦ୍ରରେ ମହଜୁଦ ରହିବ ଔଷଧ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Comments are closed.