Odisha Link
Bridging the Missing Links in Odisha

ବ୍ରେକ୍‍ଜିଟ୍‍: ଇଉରୋପୀୟ ସଂଘରୁ ବିଦାୟ ନେଲା ବ୍ରିଟେନ୍‌

ଲଣ୍ଡନ : ୟୁରୋପୀୟ ସଂଘରୁ ଆନୁଷ୍ଠାନିକ ଭାବେ ବିଦାୟ ନେଇଛି ବ୍ରିଟେନ୍‌। ୪୭ ବର୍ଷ ସଦସ୍ୟତା ପରେ ଶୁକ୍ରବାର ରାତି ୧୧ଟା ବେଳେ ବ୍ରିଟେନ୍‌ ଆନୁଷ୍ଠାନିକ ଭାବେ ଇଉରୋପୀୟ ସଂଘରୁ ବିଦାୟ ନେଇଛି। ଏହାକୁ କ ବ୍ରେକ୍ସିଟ୍‌ ବିଜୟ କୁହାଯାଇ ଉତ୍ସବ ପାଳନ କରାଯାଇଥିଲା। କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରିଲକ୍ଷିତ ହୋଇଥିଲା। ୟୁରୋପୀୟ ସଂଘ ସହିତ ଯୋଡ଼ି ହୋଇ ରହିବା ପାଇଁ ଇଚ୍ଛୁକ ସ୍କଟ୍‍ଲ୍ୟାଣ୍ଡରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ କରିଥିବାବେଳେ ବ୍ରେକ୍‍ଜିଟ୍‍ ସପକ୍ଷବାଦୀମାନେ ଲଣ୍ଡନର ପାର୍ଲାମେଣ୍ଟ ଠାରେ ଉତ୍ସବ ପାଳନ କରିଥିଲେ।

ବ୍ରେକ୍‍ଜିଟ୍‍ର ୧ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ ଏକ ବେତାର ବାର୍ତ୍ତାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଛନ୍ତି, ଏହା ଶେଷ ନୁହେଁ ଆରମ୍ଭ। ଏହି ପଥରେ ଆଗକୁ ଅନେକ ପ୍ରତିବନ୍ଧକ ରହିଥିବାର ସ୍ୱୀକାର କରିଥିବାବେଳେ ଏହି ପ୍ରସ୍ଥାନ ଅଭୂତପୂର୍ବ ସଫଳତାର ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି। ତେବେ ଜନସାଧାରଣଙ୍କର ଅବାଧ ଯାତାୟାତ ସମେତ ଅଧିକାଂଶ ୟୁରୋପୀୟ ସଂଘ ଆଇନ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ।

‘ଇଉରୋପୀୟ ସଂଘ’ ହେଉଛି ୟୁରୋପ୍‌ ମହାଦେଶର ୨୭ଟି ଦେଶର ଏକ ଆର୍ଥିକ ଓ ରାଜନୈତିକ ସଙ୍ଗଠନ। ଲୋକମାନଙ୍କ ସୁବିଧା ସହଯୋଗ ପାଇଁ ଏହି ଦେଶମାନେ ଏକତ୍ର ହୋଇଥିଲେ। ଇଉରୋପରେ ଦୁଇଟି ବିଶ୍ୱଯୁଦ୍ଧ ଘଟିବା ପରେ ‘ଇଉରୋପୀୟ ସଂଘ’ ଗଠନ କରିବାକୁ ବିଚାର କରାଯାଇଥିଲା। ପରସ୍ପର ବିରୋଧରେ ଲଢ଼ିବା ଠାରୁ ଲୋକଙ୍କ ଉନ୍ନତି ଲାଗି ମିଳିତ ଭାବେ କାମ କରିବାକୁ ସେମାନେ ଶ୍ରେୟ ମଣିଥିଲେ। ପ୍ରାରମ୍ଭର ଏଥିରେ ମାତ୍ର ୬ଟି ଦେଶ ସାମିଲ ହୋଇଥିଲେ। ସେଗୁଡ଼ିକ ହେଲା- ବେଲ୍‌ଜିୟମ୍‌, ଜର୍ମାନି, ଫ୍ରାନ୍‌ସ୍‌, ଇଟାଲି, ଲକ୍ସମ୍‌ବର ଓ ନେଦର୍‌ଲାଣ୍ଡ୍‌ସ୍‌। ପରେ ପରେ ଅନ୍ୟ ଇଊରୋପୀୟ ଦେଶମାନେ ଯୋଗ ଦେବାରୁ ଏଥିରେ ସଦସ୍ୟ ଦେଶଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା। ୧୯୭୩ ମସିହାରେ ବ୍ରିଟେନ୍‌ ଏଥିରେ ଯୋଗ ଦେଇଥିଲା। ଏହାର ସଦସ୍ୟତାରୁ ଓହରି ଯିବାକୁ ୨୦୧୬ ମସିହା ଜୁନ୍‌ ମାସରେ ବ୍ରିଟେନ୍‌ ନିଷ୍ପତ୍ତି ନେଇଥିଲା।

Comments are closed.