ଆସନ୍ତାକାଲି ସୁପ୍ରିମକୋର୍ଟରେ ନିର୍ଭୟା ଶୁଣାଣି

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାଲାର ଶୁଣାଣି। ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର। ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ସୁଚନାଯୋଗ୍ୟ, ଦୋଷୀଙ୍କ ଫାଶୀ ଉପରେ ପଟିଆଲା ହାଉସ କୋର୍ଟ ଲଗାଇଥିବା ରହିତାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର। ଯାହାକୁ କାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ।
କେନ୍ଦ୍ର ସରକାର ଆବେଦନ କରିଥିଲେ ଯେ, ଯେଉଁ ଦୋଷୀର ଆବେଦନ ବିଚାରାଧୀନ ଅଛି ତାଙ୍କୁ ବାଦ୍ ଦେଇ ଅନ୍ୟ ଦୋଷୀଙ୍କୁ କାହିଁକି ଫାଶୀ ଦିଆଯିବ ନାହିଁ । କେନ୍ଦ୍ର ସରକାରଙ୍କ ଏହି ଆବେଦନକୁ ଖାରଜ କରିବା ସହ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ନୁହେଁ ବରଂ ଏକକାଳିନ ଫାଶୀ ଦିଆଯିବ ବୋଲି ଗତକାଲି ଦିଲ୍ଳୀ ହାଇକୋର୍ଟ କହିଥିଲେ। ଏଥିସହ ଦୋଷୀମାନଙ୍କୁ ସାତ ଦିନ ଭିତରେ ସମସ୍ତ ପ୍ରକାର ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।