Odisha Link
Bridging the Missing Links in Odisha

ମହାକାଶ ରହଣିରେ ରେକର୍ଡ କଲେ ମହିଳା

କାଜାକସ୍ଥାନ : ମହାକାଶ ରହଣିରେ ରେକର୍ଡ କଲେ ମହିଳା। ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ସର୍ବାଧିକ ଦିନ ଅତିବାହିତ କରି ରେକର୍ଡ କରିଛନ୍ତି ନାସା ମହାକାଶଚାରୀ ଖ୍ରୀଷ୍ଟିନା କୋଚ୍‌। ସେ ମହାକାଶ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ସର୍ବାଧିକ ୩୨୮ ଦିନ ଅତିବାହିତ କରି ପୃଥିବୀପୃଷ୍ଠକୁ ଫେରିଛନ୍ତି। ଗତକାଲି ଅପରାହ୍ନ ୨ଟା ୪୧ରେ କାଜାକସ୍ଥାନର ଦକ୍ଷିଣ-ପୂର୍ବାଞ୍ଚଳ ସହର ଝେଜକାଜଗାନ୍‌ ଠାରେ ଖ୍ରୀଷ୍ଟିନା ଆକାଶ ଛତା ସାହାଯ୍ୟରେ ସୁରକ୍ଷିତ ରୂପେ ଅବତରଣ କରିଥିଲେ। ଏଥିପାଇଁ ସେ ରାତି ୧୨ଟା ୨୦ରେ ଆଇଏସ୍‌ଏସ୍‌ରୁ ମହାକାଶ ଯାନ ସୋୟୁଜ ଏମ୍‌ଏସ୍‌-୧୩ରେ ପୃଥିବୀ ଅଭିମୁଖେ ବାହାରିଥିଲେ।

ମହାକାଶରେ ୩୨୮ ଦିନ ରହଣି ମଧ୍ୟରେ ଖ୍ରୀଷ୍ଟିନା ପୃଥିବୀର କକ୍ଷପଥରେ ୫୨୪୮ ଥର ପ୍ରଦକ୍ଷିଣ କରିଛନ୍ତି ଯାହା ୧୩୯ନିୟୁତ ମାଇଲ। ଏହା ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ୨୯୧ ଥର ଯା’ଆସ ସହ ସମାନ ବୋଲି ନାସା ପକ୍ଷରୁ କୁହାଯାଇଛି। ୧୧ମାସ ରହଣି ସମୟରେ କୋଚ୍‌ ମହାଶୂନ୍ୟରେ ୬ଥର ସ୍ପେସ୍‌ୱାକ୍‌ କରିଛନ୍ତି। ଏହା କୋଚ୍‌ଙ୍କ ତୃତୀୟ ମହାକାଶ ଅଭିଯାନ। ମହାକାଶରେ ରହଣି ସମୟରେ କୋଚ୍‌ ବହୁ ମହାକାଶ ଯାନ ଆତଯାତର ସାକ୍ଷୀ ପାଲଟିଛନ୍ତି। କୋଚ୍‌ ୨୦୧୯ ମାର୍ଚ୍ଚ ୧୪ରେ ମହାକାଶକୁ ଯାଇଥିଲେ। ମହିଳା ଭାବେ ମହାକାଶ ରହଣିରେ ରେକର୍ଡ କରିଥିବା କୋଚ୍‌ ଆମେରିକୀୟ ମହାକାଶଚାରୀଙ୍କ ମଧ୍ୟରେ ଅବଧିର ଦୀର୍ଘତା ଦୃଷ୍ଟିରୁ ଦ୍ବିତୀୟ ଓ ସାମଗ୍ରିକ ଭାବେ ସପ୍ତମ। ନାସାର ଆମେରିକୀୟ ମହାକାଶଚାରୀ ସ୍କଟ୍‌ କେଲି ୨୦୧୫-୧୬ରେ ସର୍ବାଧିକ ୩୪୦ଦିନ ମହାକାଶରେ ଅବସ୍ଥାନ କରିଛନ୍ତି।

ଏହି ଅଭିଯାନ ଫଳରେ ଭୂ-ବିଜ୍ଞାନ, ଜୈବବିଜ୍ଞାନ, ମାନବୀୟ ଗବେଷଣା, ଶରୀର ବିଜ୍ଞାନ ଓ ବୈଷୟିକ ଗବେଷଣା କ୍ଷେତ୍ରରେ ବହୁ ଉପାଦେୟ ତଥ୍ୟ ହାସଲ ହୋଇଛି। ବିଶେଷକରି ‘ଆଲ୍‌ଫା ମ୍ୟାଗ୍‌ନେଟିକ୍‌ ସ୍ପେକ୍ଟୋମିଟର’ର ବିକାଶ କ୍ଷେତ୍ରରେ ଅଗ୍ରଗତିର ସମ୍ଭାବନା ସୃଷ୍ଟି ହୋଇଛି। ଏହାଦ୍ବାରା ୩-ଡି ଜୈବ ମୁଦ୍ରଣ, ମାନବ ଶରୀରର ତନ୍ତୁର କ୍ଷୁଦ୍ରାତିକ୍ଷୁଦ୍ର ଚିତ୍ରଗ୍ରହଣ, ମହାଶୂନ୍ୟରେ ଦୀର୍ଘ ଜୀବନ ଇତ୍ୟାଦି ସମ୍ପର୍କରେ ସଫଳତା ହାସଲ ହୋଇଛି। କୋଚ୍‌ ମହାକାଶ ଅଭିଯାନରେ ୨୧୦ ବିଷୟ ଉପରେ ଗବେଷଣା କରିଛନ୍ତି।

Comments are closed.