Odisha Link
Bridging the Missing Links in Odisha

ସରକାରଙ୍କ ଇ-ମାର୍କେଟ ପ୍ଲେସ୍‌ ଜିଇଏମ୍‌ ପୋର୍ଟାଲ୍‌ର ବହୁଳ ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର :  ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇ- ମାର୍କେଟ ପ୍ଲେସ୍‌ ଜିଇଏମ୍‌ ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲକୁ ବ୍ୟବହାର କରି ସ୍ବେଚ୍ଛତାର ସହିତ ଅଳ୍ପ ସମୟ ମଧ୍ୟରେ ଦ୍ରବ୍ୟ କ୍ରୟ କରାଯାଇ ପାରୁଛି ଏବଂ ଏଥି ସହିତ ବିକ୍ରେତାମାନେ ମଧ୍ୟ ଉପଯୁକ୍ତ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେଇ ପାରୁଛନ୍ତି ।

ଏହି ଏକ ଦିବସୀୟ ମତବିନିମୟ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଭାରତ ସରକାରଙ୍କ ଇ-ମାର୍କେଟ୍‌ ପ୍ଲେସ୍‌ ଜିଇଏମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଲ୍ଲିନ କୁମାର କହିଥିଲେ ଯେ ସରକାରଙ୍କ ଦ୍ରବ୍ୟ ସଂଗ୍ରହ କ୍ଷେତ୍ରରେ ଏହା ଅତ୍ୟନ୍ତ ସ୍ୱଚ୍ଛତାର ସହ ଠିକ୍‌ ସମୟରେ କାର୍ଯ୍ୟ ସଂପନ୍ନ କରିବାର ଏକ ପ୍ରକୃଷ୍ଟ ମାଧ୍ୟମ ।

ଇ-ବିଡିଂ, ଇ-ଅକ୍ସନ୍‌କୁ ସୁରୁଖୁରୁରେ କରାଇବା ସହ ଉପଯୁକ୍ତ ମୂଲ୍ୟରେ ସେବା ଯୋଗାଇ ଦିଆଯାଉଛି । ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା କମ୍ପୁଟରଠାରୁ ଆରମ୍ଭ କରି ପାଣିବୋତଲ ପର୍ଯ୍ୟନ୍ତ ସବୁ ଦ୍ରବ୍ୟ ସ୍ୱଚ୍ଛତାର ସହ ଠିକ୍‌ ସମୟରେ ଯୋଗାଯାଇ ପାରୁଛି ।

କର୍ମଶାଳାରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ.କେ. ମୀନା ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଏହି ମତବିନିମୟ ଅଧିବେଶନରେ ସେମାନଙ୍କର ଅଭିଜ୍ଞତା ଓ ଅନୁଭୂତି ଏବଂ ଅସୁବିଧା ସଂପର୍କରେ ସମସ୍ତେ ଅବଗତ ହେବେ ।

ବର୍ତ୍ତମାନ ସୁଦ୍ଧା ୭୩୦ କ୍ରେତା, ୩୧୯୦ ବିକ୍ରେତା ଏହି ଇ-ମାର୍କେଟ ଜିଇଏମ୍‌ରେ ପଞ୍ଜୀକୃତ ହୋଇଛନ୍ତି । ରାଜ୍ୟ ସରକାର ଜିଇଏମ୍‌ର ପୋର୍ଟାଲ୍‌ ଆରମ୍ଭ ହେବା ପରେ ୩୫୭ କୋଟି ଟଙ୍କାର ଦ୍ରବ୍ୟ କିଣାବିକା ହୋଇଛି । ଜିଇଏମ୍‌ ପୋର୍ଟାଲ୍‌ ମାଧ୍ୟରେ ଦ୍ରବ୍ୟ ସଂଗ୍ରହ କରାଗଲେ ତାହା ରାଜ୍ୟ ସରକାରଙ୍କ ୫‘ଟି’ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବ ।

ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ଆମାଜନ ପରି ସରକାରଙ୍କ ଏହା ଅନ୍‌ଲାଇନ୍‌ପୋର୍ଟାଲ୍‌ ବୋଲି କହିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ ଯେ ଏହି ପୋର୍ଟାଲ୍‌ ଉପଯୋଗ କରି ଜାତୀୟ ସ୍ୱାସ୍ଥ୍ୟ ମିଶନ ସର୍ବାଧିକ କ୍ରୟ କରିଛି ।

ଏହି ଜିଇଏମ୍‌ ପୋର୍ଟାଲ୍‌ ମାଧ୍ୟମରେ ୧୦୦ଟି ଆମ୍ବୁଲାନ୍ସ ଅଦ୍ୟାବଧି କିଣା ଯାଇଥିବାବେଳେ ଆଉ ଅଧିକ ୧୦୦ଟି ଆମ୍ବୁଲାନ୍ସ କିଣାଯିବ । ରାଜ୍ୟର ବିଭିନ୍ନ ପ୍ରଶାସନିକ ବିଭାଗ, ମୁଖ୍ୟ ଦପ୍ତର, ସ୍ୱୟଂଶାସିତ ଅନୁଷ୍ଠାନ, ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନେ କ୍ରେତା ବର୍ଗରେ ଥିବାବେଳେ ଏମ୍‌ଏସ୍‌ଏମ୍‌ଇ, ସ୍ୱୟଂ ସହାୟକ ଗୋଷ୍ଠୀ, ଷ୍ଟାର୍ଟଅପ୍‌, ସ୍ଥାନୀୟ ବୁଣାକାର ଓ କାରିଗରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅଗ୍ରଣୀ କ୍ରେତା ଭାବେ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ପାଇଁ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ଓଡ଼ିଶା ରାଜ୍ୟ ଔଷଧ ନିଗମ ପାଇଁ ଯାମିନୀ ଷଡଙ୍ଗୀ ପୁରସ୍କାର ଗ୍ରହଣ କରିଥିଲେ । କଟକର ରାଜ୍ୟ ପୋଲିସ୍‌ ମୁଖ୍ୟ ଦପ୍ତରକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଏହି ଦିନିକିଆ ମତବିନିମୟ କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପି.କେ. ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁଗ୍ମ ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments are closed.