Odisha Link
Bridging the Missing Links in Odisha

ନିଅଁ ଖୋଳୁ ଖୋଳୁ ଭୁଶୁଡି ପଡିଲା ୩ ମହଲାର ଅଟ୍ଟାଳିକା

ମୋହାଲି: ପଞ୍ଜାବର ମୋହାଲିର ଖରାର-ଲାଣ୍ଡ୍ରାରା ରାସ୍ତା ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ମୂଳଦୁଆ ବା ନିଅଁ ଖୋଳା ହେଉଥିବା ସମୟରେ ନିକଟରେ ଥିବା ଅନ୍ୟ ଏକ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଶୁଡି ପଡିଛି।

ଅଟ୍ଟାଳିକା ଭାଙ୍ଗିବା ଫଳରେ ଭଗ୍ନାବଶେଷରେ ପ୍ରାୟ ୬ ଜଣ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ପୋଲିସ୍‌ ଓ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶନିବାର ସରକାରୀ ଛୁଟି ଦିନ ହୋଇଥିବା କାରଣରୁ ଉଦ୍ଧାରକାରୀ ଦଳର କର୍ମଚରୀ କମ୍ ସଂଖ୍ୟାରେ ରହିଛନ୍ତି। ଯାହା ଫଳରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ୧୦ରୁ ୧୨ଟି ଜେସିବି ନିୟୋଜିତ କରାଯାଇଥିବା ସୂଚନା ରହିଛି।

ଜାତୀୟ ଗଣମାଧ୍ୟରେ ପ୍ରସାରିତ ଖବର ଅନୁଯାୟୀ ଭଗ୍ନାବଶେଷ ତଳୁ ୨ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ପୋଲିସ୍, ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଛନ୍ତି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତି ରହିଛନ୍ତି । ୧୨ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଅନ୍ୟପଟେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଚାପି ହୋଇ ରହିଥିବା ଲୋକଙ୍କୁ ପ୍ରଥମେ ଉଦ୍ଧାର କରାଯିବ । ଏହି ଦୁର୍ଘଟଣାରେ ଯାହାର ଭୁଲ ଥିବ ସେ କଠୋର ଦଣ୍ଡ ପାଇବ ବୋଲି କହିଛନ୍ତି ସରକାରୀ ଅଧିକାରୀ।

Comments are closed.